ରୋମାଞ୍ଚକର ମୋଡରେ ୨ୟ ଟେଷ୍ଟ: ବିଜୟ ପାଇଁ ଭାରତକୁ ୧୦୦ ରନ୍, ବାଂଲାଦେଶକୁ ୬ ୱିକେଟ ଆବଶ୍ୟକ

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ରୋମାଞ୍ଚକର ମୋଡରେ ଭାରତ-ବାଂଲାଦେଶ ୨ୟ ଟେଷ୍ଟ। ଖେଳର ପ୍ରଥମ ଅଢେଇ ଦିନ ମଜବୁତ ସ୍ଥିତିରେ ଥିବା ଭାରତ ତୃତୀୟ ଦିନର ଶେଷ ବେଳକୁ ଅସୁବିଧାର ସମ୍ମୁଖୀନ ହୋଇଛି। ଏପରିକି ଭାରତ ଉପରେ ପରାଜୟର ବାଦଲ ଘନେଇଛି। ବାଂଲାଦେଶ ଦ୍ଵିତୀୟ ଇନିଂସରେ ୨୩୧ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୮୦ ରନ ଅଗ୍ରଣୀ ଭିତ୍ତିରେ ଭାରତକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଛି।

ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ମୂଲ୍ୟବାନ ୪ ଓ୍ଵିକେଟ୍ ହରାଇ ୪୫ ରନ କରିଛି। ଅକ୍ଷର ପଟେଲ୍ ୨୬ ରନ ଏବଂ ଜୟଦେବ ଉନାଦକତ ୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ତେବେ ଚତୁର୍ଥ ଦିନରେ ମ୍ୟାଚ୍ ଶେଷ ହେବା ସହିତ ଫଳାଫଳ ବାହାରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ୧୦୦ ରନ ଦରକାର ଥିବା ବେଳେ ବାଂଲାଦେଶକୁ ୬ ଓ୍ଵିକେଟ୍ ଦରକାର ରହିଛି। ତେବେ ଭାରତର ବିଜୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ଉପରେ ନିର୍ଭର କରେ। ତେବେ ଚତୁର୍ଥ ଦିନର ପ୍ରଥମ ସେସନର ଖେଳ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଉଭୟ ଦଳ ପାଇଁ ବିଜୟ ପ୍ରତିଶତ ୫୦-୫୦ ପ୍ରତିଶତ ରହିଛି।

ତେବେ ୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଦଳୀୟ ସ୍କୋର ୩ରେ ଅଧିନାୟକ କେଏଲ ରାହୁଲ(୨ ରନ) ଶସ୍ତାରେ ଆଉଟ୍ ହୋଇଛନ୍ତି। ଚେତେଶ୍ଵର ପୂଜାରା(୬) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଶୁଭମାନ ଗିଲ୍‌(୭) ବି ବାଂଲାଦେଶ ବୋରଲଙ୍କ ମୁକାବିଲା କରିନପାରି ପାଭିଲିୟନ ଫେରିଥିଲେ। ତେବେ ବିରାଟ କୋହଲି(୧ ରନ) ଆଉଟ୍ ହେବା ଭାରତକୁ ବହୁତ ନିରାଶ କରିଛି। ଅନ୍ୟପଟେ ଅକ୍ଷର ପଟେଲ୍ କ୍ରିଜରେ ଜମି ଧୈର୍ଯ୍ୟର ସହ ବ୍ୟାଟିଂ କରିଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୪୫ ରନ କରିଛି। । ଅକ୍ଷର ପଟେଲ୍ ୨୬ ରନ ଏବଂ ଜୟଦେବ ଉନାଦକତ ୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି।

ଏହା ପୂର୍ବରୁ ବାଂଲାଦେଶ ତୃତୀୟ ଦିନ ଖେଳ ୭/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ପ୍ରଥମ ସେସନରୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଜାକିର ହାସନ ଏବଂ ଲିଟନ ଦାସ ଅର୍ଦ୍ଧଶତକ ହାସଲ କରି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ସାଣ୍ଟୋ(୫), ମୋନିଉଲ ହକ(୫) ପାଭିଲିୟନ ଫେରିଥିଲେ। ଅଧିନାୟକ ସାକିବ ଅଲ ହାସନ(୧୩) ଏବଂ ମୁସଫିକର ରହିମ(୯) ଦଳକୁ ପୁଣି ଥରେ ନିରାଶ କରିଥିଲେ। ଅନ୍ୟପଟେ ଜାକିର ହାସନ ଅର୍ଦ୍ଧଶତକ ହାସଲ କରି ଦଳର ଇନିଂସ ସମ୍ଭାଳିଥିଲେ। ସେ ୫୧ ରନ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଲିଟନ ଦାସ୍ ଦମଦାର ବ୍ୟାଟିଂ କରିଥିଲେ। ସେ ୯୮ ବଲ୍‌ରୁ ୭ ଚୌକା ସହ ୭୩ ରନର ଗୁରୁତ୍ଵପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଶେଷ ଆଡକୁ ନୁରୁଲ ହାସନ(୩୧) ଏବଂ ତସ୍କିନ ଅହମ୍ମଦ(୩୧) ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ବାଂଲାଦେଶ ୨୩୧ ରନରେ ଅଲଆଉଟ୍ ହୋଇଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ୍ ସର୍ବାଧିକ ୩ଟି ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ଏବଂ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନ କରିଥିଲା। ଜବାବରେ ଭାରତ ଋଷଭ ପନ୍ତଙ୍କ ୯୩ ରନ ଏବଂ ଶ୍ରେୟସ ଆୟରଙ୍କ ୮୭ ରନ ବଳରେ ୩୧୪ ରନ କରିପାରିଥିଲା।

Related Posts