ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜି ୧୦୭ ତମ ଦିନରେ ପହଂଚିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ କୋଭିଡ ଗାଇଡଲାଇନ ଜାରି କରାଯାଇଥିଲେ ମଧ୍ୟ ଭାରତ ଯୋଡ ଯାତ୍ରା ବନ୍ଦ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ ଗାନ୍ଧୀ । ଏସବୁ ମଧ୍ୟରେ ଏହି ପଦଯାତ୍ରା ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଂଚିଥିବା ବେଳେ ପୁରା କଂଗ୍ରେସ ପରିବାର ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ଭିଣୋଇ ରବର୍ଟ ଭାଦ୍ରା ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ଏହାସହ ଅଭିନେତାରୁ ନେତା ହୋଇଥିବା କମଲ ହାସନ ମଧ୍ୟ ଆଜି ପ୍ରଥମଥର ପାଇଁ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ପୂର୍ବରୁ କମଲ ହାସନ ଘୋଷଣା କରିଥିଲେ।
ଆଜି ସକାଳେ ଏଡି ଯାତ୍ରା ଫରିଦାବାଦରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିବା ପରେ ଦିଲ୍ଲୀ କଂଗ୍ରେସ ପ୍ରମୁଖ ଅନିଲ ଚୌଧୁରୀ ଏହି ପଦଯାତ୍ରାକୁ ସ୍ୱାଗତ କରିଥିଲେ । ଏହି କ୍ରମରେ ରାହୁଲ ଗାନ୍ଧୀ ତାଙ୍କ ଅବିଭାଷଣରେ କହିଥିଲେ କି ଏହି ଯାତ୍ରା ହେଉଛି ଘୃଣାର ବଜାର ଭିତରେ ପ୍ରେମର ଦୋକାନ । ସେପଟେ ସେ କହିଥିଲେ କି ଗୁଜରାଟରେ ପ୍ରଧାନମନ୍ତ୍ରୀ ରାଲି କରିବେ, ରାଜସ୍ଥାନରେ ବିଜେପି ଜନ ଆକ୍ରୋଶ ଯାତ୍ରା କରିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଉ ନଥିଲେ , ହେଲେ କଂଗ୍ରେସର ପଦଯାତ୍ରା ବେଳେ କେବଳ କରୋନା ବ୍ୟାପୁଛି କି ବୋଲି ସେ ପ୍ରଶ୍ନ କରିଥିଲେ ।
କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଭାରତ ଯୋଡ ଯାତ୍ରା ସ୍ଥଗିତ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖାଯିବା ପରେ ଏହାକୁ ନେଇ କଂଗ୍ରେସ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ କହିଛି କି ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ଦେଖି ବିଜେପି ଭୟଭିତ ହୋଇପଡିଛି । ତେଣୁ କରୋନା ବାହାନାରେ ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ବିଜେପି ଏହି ଯୋଜନା ପ୍ରସ୍ତୁତ କରିଥିବା କଥା କଂଗ୍ରେସ ଅଭିଯୋଗ କରିଛି ।