ଚୋରୀ କଲା ପୁଲିସ ! ଟାଙ୍ଗୀ ଥାନାର ତିନି କର୍ମଚାରୀ ଗିରଫ

ସତ୍ୟପାଠ ବ୍ୟୁରୋ : ପାଟ୍ରୋଲିଂ ନାଁରେ ପଥଚାରୀଙ୍କ ଠାରୁ ଟଙ୍କା ଲୁଟିବା ଘଟଣାରେ ଗିରଫ ହୋଇଛନ୍ତି ତିନି ପୁଲିସ କର୍ମଚାରୀ । ଏହାସହ ସେମାନଙ୍କୁ ନିଲମ୍ବିତ ବି କରାଯାଇଛି । ଟାଙ୍ଗୀ ଥାନାର ୨ଜଣ ହୋମଗାର୍ଡ ଓ ଜଣେ କନେଷ୍ଟବଳଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ ବିଭାଗ । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଟକ ଗ୍ରାମାଂଚଳ ଏସପି ।

ଅଭିଯୋଗ ଅନୁଯାୟୀ, ଏକ ହୁଣ୍ଡାସିଟି କାରରେ କୋଲକାତାରୁ ୩ଜଣ ଯୁବକ ପୁରୀ ଫେରୁଥିବା ବେଳେ ସର୍ଦ୍ଦଳା ଛକ ଠାରେ ଢ଼ାବାରେ ଖାଇ ସାରି ଛିଡା ହୋଇଥିଲେ । ସେହି ସମୟରେ ଏହି ତିନିଜଣ ପାଟ୍ରୋଲିଂ କରୁଥିଲେ ଓ ଉକ୍ତ କାର ପାଖକୁ ଯାଇ ସେମାନଙ୍କୁ ଭୟଭୀତ କରି କାର ଚାବି ଛଡାଇ ଆଣିଥିଲେ । କାରର ଡ୍ୟାସବୋର୍ଡ ଡିକି ଖୋଲି ସେଥିରେ ଥିବା ୧ଲକ୍ଷ ୪୭ହଜାର ଲୁଟ କରିଥିଲେ ।

ଏହି ଘଟଣା ପୁଲିସ ଡିଜିଙ୍କ କାନକୁ ଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଗ୍ରାମାଂଚଳ ଏସପିଙ୍କୁ କୁହାଯାଇଥିଲା । ଚୌଦାର ଏସଡିପିଓ ଓ ଗ୍ରାମାଂଚଳ ଏସପିଙ୍କ ତଦନ୍ତରେ ସତକଥା ଜଣାପଡିଥିଲା । ପରେ ଏହି ତିନିଜଣଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

Related Posts