୩୦ ମିନିଟ ବାଧିଲା, ୧୫ ଲକ୍ଷ ପାଇଁ ଲୋକେ ୭ ବର୍ଷ ହେଲା ଅପେକ୍ଷା କରିଛନ୍ତି – ମୋଦିଙ୍କୁ ମହୁଆ ମୋଇତ୍ରାଙ୍କ କଟାକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ମମତା ବାନାର୍ଜୀ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେପିର ତମାମ ବଡ ବଡ ନେତା ଗତକାଲିର ଘଟଣାକୁ ନେଇ ମମତାଙ୍କୁ ଟାର୍ଗେଟ କରିବା ପରେ ଏହାର କଡା ଜବାବ ଦେଇଛନ୍ତି ଟିଏମସି ସାସଂଦ ମହୁଆ ମୋଇତ୍ରା। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, “ଥୋଡା ଆପ୍ ଭି ୱେଟ୍ କର ଲିଜିଏ “। ମହୁଆ ଟ୍ବିଟ୍ କରି କହିଛନ୍ତି, ” ୩୦ ମିନିଟ୍ ଅପେକ୍ଷା କୁ ନେଇ ଏତେ ବିବାଦ କାହିଁକି ? ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପାଇଁ ଭାରତୀୟ ମାନଙ୍କୁ ୭ ବର୍ଷ ହେବ ଅପେକ୍ଷା କରିଛନ୍ତି। ଏଟିଏମ୍ ରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ କାହିଁକି ୩୦ ମିନିଟ୍ ଅପେକ୍ଷା କରିବେନି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମହୁଆ ମୋଇତ୍ରା।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବାତ୍ୟା ୟାସ୍‌ରେ କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ। ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟକୁ ନେଇ ବିଜେପି ଓ ଟିଏମସି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମମତାଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି।

Related Posts