କରୋନାରେ ଚାଲିଗଲା ପୁଅର ଜୀବନ , ଘରୋଇ ହସ୍ପିଟାଲ ବିରୋଧରେ FIR ରଖୁନି ୟୁପି ପୋଲିସ : ବିଜେପି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହରରେ ଉତ୍ତରପ୍ରଦେଶର ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍ ପରିଚାଳନାକୁ ନେଇ ନିଜ ଦଳର ବିଧାୟକ ଓ ନେତା ମେନେ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟ ନାଥଙ୍କ ଉପରେ ପ୍ରଶ୍ନ କରୁଛନ୍ତି । ସୂଚନା ମୁତାବକ ୟୁପିର ଜଣେ ବିଜେପି ବିଧାୟକ ପୁଅର ମୃତ୍ୟୁ ପାଇଁ ଏକ ଘରୋଇ ଡାକ୍ତରଖାନା ବିରୋଧରେ ଅବହେଳା କରିଥିବା ଅଭିଯୋଗରେ ମାମଲା ଦାୟର କରିବା ପାଇଁ ଏକ ମାସ ହେବ ଘୂରି ବୁଲୁଛନ୍ତି। ସାଣ୍ଡିଲାର ବିଧାୟକ ରାଜକୁମାର ଅଗ୍ରୱାଲ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ସେ ଏଫ୍ଆଇଆର୍ ଦାୟର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପୋଲିସ ମାମଲା ରୁଜୁ କରୁନାହିଁ। ଅଗରୱାଲ କହିଛନ୍ତି ଯେ ତାଙ୍କର ୩୫ ବର୍ଷର ପୁଅ ଆଶିଷ ଏପ୍ରିଲ ୨୬ ତାରିଖରେ କାକୋରୀର ଏକ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଆଶିଷଙ୍କୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଜେପି ବିଧାୟକ ଜଣକ କହିଛନ୍ତି ଯେ, “ଏପ୍ରିଲ ୨୬ ରେ ମୋ ପୁଅର ଅମ୍ଳଜାନ ସ୍ତର ୯୪ଥିଲା । ସେ ଖା ପିଅ କରୁଥିଲେ ଏବଂ ଆମ ସହିତ କଥାବାର୍ତ୍ତା ମଧ୍ୟ ହେଉଥିଲା। ହେଲେ ସନ୍ଧ୍ୟାରେ ହଠାତ୍ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ଅମ୍ଳଜାନ ସ୍ତର ହ୍ରାସ ପାଉଛି। ଆମେ ବାହାରୁ ଏକ ଅମ୍ଳଜାନ ସିଲିଣ୍ଡର ଯୋଗାଡ କଲୁ , କିନ୍ତୁ ଡାକ୍ତରମାନେ ଏହି ଅମ୍ଳଜାନ ସିଲିଣ୍ଡରକୁ ରୋଗୀ ପାଖରେ ପହଞ୍ଚାଇବାକୁ ଦେଲେ ନାହିଁ ଏବଂ ସେ ମରିଗଲେ। ” ଅଗରୱାଲ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ଘଟିଛି ଏବଂ ତାଙ୍କ ପୁଅକୁ ନ୍ୟାୟ ଦେବା ପାଇଁ ସେ ଏଫଆଇଆର ପଞ୍ଜିକରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ରୱାଲ କହିଛନ୍ତି ଯେ ସେଦିନ ଡାକ୍ତରଖାନାରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟ ନାଥଙ୍କ ସମେତ ଡିଏମ, ପୋଲିସ କମିଶନର ଏବଂ ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି, ତଥାପି ବି ତାଙ୍କର ଏଫଆଇଆର ପଞ୍ଜିକୃତ ହୋଇନାହିଁ। ସେ ଦାବି କରିଛନ୍ତି ଯେ ଡାକ୍ତରଖାନାର ସିସିଟିଭି ଫୁଟେଜକୁ ଯାଞ୍ଚ କରି ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ଡାକ୍ତରମାନଙ୍କୁ ଦଣ୍ଡ ଦିଆଯିବା ଉଚିତ୍। ସୂଚନାଯୋଗ୍ୟ, ମେ ୨୮ ରେ, ୟୁପିରେ କୋଭିଡ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୫୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି।

Related Posts