ରାୟଗଡ଼ା ଜିଲ୍ଲା କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ: ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ମୁନିଗୁଡ଼ା : ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ । ରାୟଗଡ଼ା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲିରେ ଥିବା ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ ଘଟିଛି ଏହି ଘଟଣା । ଗୁରୁବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇସାରି ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ାବାନ୍ତିରେ ପୀଡ଼ିତ ହୋଇଛନ୍ତି।

ସମସ୍ତ ଆକ୍ରାନ୍ତଙ୍କୁ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳ ବିଭାଗ ଓ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡ଼ା ପ୍ରାଥମିକ ବିଦ୍ୟାଳୟରେ ୪୦ ଜଣ ଛାତ୍ର ପାଠ ପଢ଼ିବା ପରେ କେବିକେ ହୋଷ୍ଟେଲରେ ରହୁଥିଲେ।

ଗୁରୁବାର ସନ୍ଧ୍ୟାରେ ଛାତ୍ରମାନେ ପଣସ ଖାଇଥିବାରୁ ଏଭଳି ଝାଡାବାନ୍ତିରେ ଶିକାର ହୋଇଥିବା ବେଳେ ୨ ଟି ଆମ୍ବୁଲାନ୍ସରେ ବିଷମ କଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Related Posts