ମୋବାଇଲ୍ ଟାୱାର୍ ଉଦଘାଟନକୁ ନେଇ ବିଜେଡ଼ି ଓ କଂଗ୍ରେସ ମୁହାଁମହିଁ, ମନ୍ତ୍ରୀଙ୍କ ଫଳକକୁ ଭାଙ୍ଗିଲେ ଅସନ୍ତୁଷ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୋବାଇଲ୍ ଟାୱାର୍ ଉଦଘାଟନକୁ ନେଇ ବିଜେଡ଼ି ଓ କଂଗ୍ରେସ କର୍ମୀ ମୁହାଁମହିଁ ହୋଇଛନ୍ତି। ପ୍ରଥମେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିବା ଟାୱାର୍ ଫଳକକୁ ଅସନ୍ତୁଷ୍ଟ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ବିଜେଡ଼ି କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଉଦଘାଟନ କରିଥିବା ଏକ ମୋବାଇଲ୍ ଟାୱାରୀ ଫଳକକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ଏ ନେଇ ଶେଷଖାଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସର ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

ରାୟଗଡ଼ା ସଦର ବ୍ଲକ୍ ଡାଙ୍ଗଲୋଡି ଗ୍ରାମ ପଞ୍ଚାୟତରେ ଆଜି ଜିଓ ନେଟୱର୍କ ପକ୍ଷରୁ ମୋବାଇଲ୍ ଟାୱାର୍ କାର୍ଯ୍ୟକ୍ଷମ ହୋଇଥିଲା। ଦୀର୍ଘ ବର୍ଷ ଧରି ମୋବାଇଲ୍ ସେବାରୁ ଏହି ଅଞ୍ଚଳବାସୀ ବଞ୍ଚିତ ହୋଇ ରହିଥିଲେ। ସାଂସଦ, ନେତା, ମନ୍ତ୍ରୀ, ବିଧାୟକ ଏବଂ ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଟାୱାର୍ ନିର୍ମାଣ ଆରମ୍ଭ ହୋଇଥିଲା। ଡାଙ୍ଗଲୋଡି, କାରୁବାଇ, ପିପଳଗୁଡା, ମିରାବାଲି, ସାନ୍ଧୁବାଡି, ଦୁର୍ଗାପାଡୁ ପଞ୍ଚାୟତବାସୀ ଏହି ଟାୱାର୍ ଦ୍ବାରା ଉପକୃତ ହେବେ। ପୂର୍ବରୁ ଏହି ଅଞ୍ଚଳରେ ମୋବାଇଲ୍ ଟାୱାର୍ ନଥିବାରୁ ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ବିଶେଷ କରି ଜରୁରୀକାଳନୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮, ୧୦୨ ଭଳି ଆମ୍ବୁଲାନସ୍ ସେବାରୁ ବଞ୍ଚିତ ହେଉଥିବା ବେଳେ ବ୍ୟାଙ୍କ ସେବା, ଅନଲାଇନ ପାଠପଢା ସହ ଅନ୍ୟ ନେଟୱାର୍କିଂ ବ୍ୟବସ୍ଥାରୁ ବାଦ ପଡୁଥିଲେ ପଞ୍ଚାୟତବାସୀ। ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା ପାଇଁ କଂଗ୍ରେସ-ବିଜେଡ଼ି-ବିଜେପିର ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖି ଆସୁଥିଲେ। ସଂସଦର ଉଭୟ ଗୃହରେ ଏ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ‌ଶେଷରେ ଜିଓ କମ୍ପାନି ପକ୍ଷରୁ ଡାଙ୍ଗଲୋଡି ପଞ୍ଚାୟତର ପେନିକଣା ଠାରେ ମୋବାଇଲ ଟାୱାର ନିର୍ମାଣ କରାଯାଇଥିଲା। ଯାହାକୁ ଆଜି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ। ଡାଙ୍ଗଲୋଡି, ପେନିକଣା ସମେତ ଆଖପାଖ ୧୨ ଖଣ୍ଡ ଗ୍ରାମବାସୀ ବାଜା ବଜାଇ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ।

ତେବେ ଉଦଘାଟନର କିଛି ସମୟରେ ଫଳକକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଉଦଘାଟନୀ ଫଳକରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ନଥିବାରୁ କଂଗ୍ରେସ କର୍ମୀ ହୋ ହାଲ୍ଲା କରିଥିଲେ। ଅପହଞ୍ଚ ଇଲାକାରେ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା ପାଇଁ ସପ୍ତଗିରି ଲୋକସଭ‌ାରେ ବାରମ୍ବାର ପ୍ରଶ୍ନ ଉଠାଇଥିବା ବେଳେ ଟାୱାର୍ ଉଦଘାଟନ ସମୟରେ ଅଣଦେଖାକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ସାରକାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡ଼ା ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ଚନ୍ଦ୍ରକାନ୍ତ ସାମଲ, ଅମ୍ବିକା ବିଡିକା, ପି. ଗୌରୀ ଶଙ୍କର ରାଓ, ଡାଙ୍ଗଲୋଡି ସରପଞ୍ଚ ଗଙ୍ଗାଧର କାଡ୍ରକା, ସମିତି ସଭ୍ୟ ଅଜିତ୍ ମାଣ୍ଡାଙ୍ଗି, ନାଏବ ସରପଞ୍ଚ ମାଟି କିଲକା ଓ ଗ୍ରାମବାସୀ ଉଧଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଫଳକ ରାଜନୀତିକୁ ନେଇ ଦୁଇ ପ୍ରମୁଖ ଦଳର କର୍ମୀ ମୁହାଁମୁହିଁ ହୋଇ ମାମଲା ଥାନାକୁ ଯାଇଥିବା ବେଳେ ମୋବାଇଲ୍ ନେଟୱର୍କ କାର୍ଯ୍ୟକ୍ଷମ ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।

Related Posts