ଓଡ଼ିଶାର 4 ପିଲା ପାଇବେ ଜାତୀୟ ସାହସିକତା ପୁରସ୍କାର

ଓଡ଼ିଶାର ୪ ଜଣଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଆମ ରାଜ୍ୟର ସିତୁ ମଲ୍ଲିକ, ବିଶ୍ବଜିତ ପୁହାଣ, ଝିଲ୍ଲୀ ଦାସ ଓ ରଞ୍ଜତା ମଲ୍ଲିକଙ୍କୁ ଏହି ପୁରସ୍କାର ମିଳିବ । ଏନେଇ ବିଧିବଦ୍ଧ ନାମ ତାଲିକା ପ୍ରକାଶ କରାଯାଇଛି । ଆସନ୍ତା ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର ଉତ୍ସବରେ ଏମାନଙ୍କୁ ସମ୍ମାନିତ କରାଯିବ ।

କଳାହାଣ୍ଡି ଜିଲ୍ଲାର ରଞ୍ଜିତା ମାଝୀ । ମାତ୍ର ୧୨ ବର୍ଷ ବୟସରେ ସେ ଦେଖାଇଛନ୍ତି ଅସୀମ ସାହସ । ସମାଜର କୁସଂସ୍କାର ବିରୋଧରେ ସଂଗ୍ରାମ କରିଛନ୍ତି । କେବଳ ସେତିକି ନୁହେଁ, ବାଲ୍ୟ ବିବାହ ଭଳି ଏକ କୁତ୍ସିତ ପରମ୍ପରା ବିରୋଧରେ ଲଢ଼ି ସଫଳ ହୋଇଛନ୍ତି ରଞ୍ଜିତା । ଜଣେ ଭଲ ଶିକ୍ଷୟିତ୍ରୀ ହୋଇ ସମାଜର କୁସଂସ୍କାର ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେହିପରି ସୋନପୁର ଜିଲ୍ଲାର ଝିଲି ବାଗ ମାତ୍ର ୩ ବର୍ଷ ବୟସରେ ୨୫ ଫୁଟର ଗଭୀର କୂଅକୁ ଲମ୍ଫ ମାରି ନିଜ ବଡ଼ ଭଉଣୀଙ୍କୁ ରକ୍ଷା କରିଥିଲେ ଝିଲି । ସେ କହିଛନ୍ତି, ଭବିଷ୍ୟତରେ ପୋଲିସ ହେବେ ।

କେନ୍ଦ୍ରାପଡ଼ାର ସାହସୀ ବାଳକ ସିତୁ ମଲିକ । ଦାଦାଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲେ ସିତୁ । ଭବିଷ୍ୟତରେ ସେନାରେ ଯୋଗଦେବାକୁ ସେ ଇଚ୍ଛା ରଖିଛନ୍ତି । ଆଉ ଜଣେ ସାହସୀ ବାଳକ ହେଲେ ବିଶ୍ବଜିତ ପୁହାଣ । ନିଜର ଉପସ୍ଥିତ ବୁଦ୍ଧି ବଳରେ ନାଳରେ ବୁଡ଼ି ଯାଉଥିବା ଉଭଣୀକୁ ବଞ୍ଚାଇଥିଲେ ବିଶ୍ବଜିତ ।

ଏମାନେ ସମସ୍ତେ ପାଇବେ ସାହସିକତା ପୁରସ୍କାର । ଭାରତୀୟ ବାଲ୍‌ କଲ୍ୟାଣ ପରିଷଦ ପକ୍ଷରୁ ଜାତୀୟ ସାହସିକତା ପୁରସ୍କାର ଘୋଷଣା କରାଯାଇଛି । ଏ ବର୍ଷ ପୁରସ୍କାର ପାଇବାକୁ ସମଗ୍ର ଦେଶରୁ ୨୧ ଜଣ ପିଲା ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ ବାଳିକା ଥିବାବେଳେ ୧୩ ଜଣ ବାଳକ ଅଛନ୍ତି ।

୧୯୫୮ ମସିହା ଫେବ୍ରୁଆରୀ ୪ ତାରିଖରେ ପ୍ରଥମ ଥର ପାଇଁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । ସେବେଠାରୁ ‘ICCW’ ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି ।

Related Posts