ପୋଲସରା ବାଲିଘାଇ ରାସ୍ତା ନିର୍ମାଣରେ ଟେଣ୍ଡର ଫିକ୍ସି ଓ ଫଲ୍ସ ବିଲ୍ ଘଟଣା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଆସୁଥିବା ବାଲିଘାଇ ରାସ୍ତା ନିର୍ମାଣରେ ଟେଣ୍ଡର ଫିକ୍ସିଂ ଓ ଫଲ୍ସ ବିଲ୍‌ ଘଟଣା ହାଇକୋର୍ଟରେ ପହଞ୍ଚିଛି । ଏ ନେଇ ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା । ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଗଞ୍ଜାମ ଜିଲ୍ଲା ସଭାପତି ସମରଜିତ ମହାନ୍ତି ଏ ନେଇ ଉଚ୍ଚ ନ୍ୟାୟାଳୟରେ ତଦନ୍ତ ପାଇଁ ଆବେଦନ କରିଥିଲେ । ଶୁକ୍ରବାର ମାନ୍ୟବର ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି ।

ରାଣୀପଡ଼ାଠାରୁ ବାଲିଘାଇ ରାସ୍ତା ୫ ଓ ୭ ନମ୍ବର ୱାର୍ଡ ଅଧୀନରେ ଯାଉଛି । ପୋଲସରା ଏନ୍‌.ଏ.ସି ଅଧୀନରେ ରାସ୍ତା ଆସୁଥିବାରୁ ଏହାର ମରାମତି ଓ ନିର୍ମାଣ କାମ ଏନ୍‌ଏସି ପକ୍ଷରୁ କରାଯିବା କଥା । କିନ୍ତୁ ବିଗତ ପ୍ରାୟ 6 ବର୍ଷ ଧରି ଏନ୍‌ଏସି ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବି ଏହି ରାସ୍ତା ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯିବା ସହ ଫଲ୍‌ସ ବିଲ୍‌ କରାଯାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ରହିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଦସ୍ତାବିଜରୁ ମିଳିଥିବା ସୂଚନା ଅନୁସାରେ ଏହି ରାସ୍ତାରେ ୨୦୧୩-୧୪ ଆର୍ଥିକ ବର୍ଷରୁ 2017-18 ଆର୍ଥିକ ବର୍ଷରେ ରାସ୍ତା ତିଆରି ଓ ମରାମତି ପାଇଁ ପ୍ରାୟ 5 ଜଣ ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିଥିଲା । ଏହି ଘଟଣାକୁ ନେଇ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ଉଚ୍ଚ ନ୍ୟାୟାଳୟରେ ତଦନ୍ତ ପାଇଁ ଆବେଦନ କରିଥିଲେ । ରିଟ ପିଟିସନ ନଂ-୧୪୨୦/୧୯କୁ ହାଇକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ।

ରିପୋର୍ଟ:- ନୃସିଂହ ନାଥ ସ୍ବାଇଁ

Related Posts