ଭୁବନେଶ୍ୱର,୪/୭(ସତ୍ୟପାଠ ବ୍ୟୁରୋ): ଖୋଲାଯାଇଛି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ । ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ। ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହା ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, କେବଳ ମାଲକାନଗିରି ଜିଲ୍ଲାରେ ଯାହା ଅଧିକ ବର୍ଷା ହେବାରୁ କ୍ଷୟକ୍ଷତି ହୋଇଛି। ଆଜି ସକାଳ ସୁଦ୍ଧା ବୈତରଣୀ,ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ବି ବିପଦ ସଂକେତ ତଳେ ରହିଛି। ହୀରାକୁଦରେ ୬ଟି ଗେଟ୍ ଖୋଲା ଥିଲା। ମହାନଦୀ ଉପର ମୁଣ୍ଡରେ ଯେହେତୁ ଆଭରେଜ୍ ୩୦ ମିଲିମିଟର ଉପରେ ରେନ୍ ଫଲ ହେଇଛି। ତେଣୁ ଆହୁରି ୮ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ହୀରାକୁଦ ଡ୍ୟାମ୍ ଜଳ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୁର୍ଲା ଅଶୋକ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ହୀରାକୁଦ ଡ୍ୟାମ୍ ସମେତ ଝାରସୁଗୁଡା ଏବଂ ସମ୍ବଲପୁରର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ ଉତ୍ପାଦନ ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଥିଲେ। ମୁଖ୍ୟଯନ୍ତ୍ରୀଙ୍କ ସହ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ୍ ଆଇଜି ହିମାଂଶୁ ଲାଲ୍, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଵାଲ ଓ ଏସ୍ପି ମୁକେଶ ଭାମୁ ଉପସ୍ଥିତ ରହି ଗେଟ୍ ଖୋଲିଥିଲେ।