ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଗାଁ ⁷ରାଜନୀତି ସରଗରମ ରହିଛି। ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ମଧ୍ଯ ହୋଇଯାଇଛି । ସବୁ ପାର୍ଟିର ପ୍ରାର୍ଥୀ ଆଜି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ବିଲେଇସର୍ଡା ଗାଁରୁ ଆସିଛି। ଏଠାରେ ପଞ୍ଚାୟତ ନିର୍ବାଚନରେ କିଏ ହେବ ସରପଞ୍ଚ ପ୍ରାର୍ଥୀ, ସେଥିପାଇଁ ବୈଠକ ଡକାଯାଇଥିଲା। ବୈଠକରେ ଜଣେ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଆଉ ଏଥିପାଇଁ ସରପଞ୍ଚ ପ୍ରାର୍ଥୀ ଦେଇଛନ୍ତି ୪୪ ଲକ୍ଷ ଟଙ୍କା। ପୂରା ଘଟଣା କ’ଣ, ଆସନ୍ତୁ ଜାଣିବା।
ବିଲେଇସର୍ଡା ଗାଁ’ରେ ହେବ ପଞ୍ଚାୟତ ନିର୍ବାଚନ। ଏଠାରେ ତିନୋଟି ଗାଁର ଲୋକେ ବାସ କରନ୍ତି। ତିନି ଗାଁର ମୁରବୀ ମାନଙ୍କୁ ନେଇ ଶୁକ୍ରବାର ବିଲେଇସର୍ଡା ଗାଁରେ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ହେବେ। ଆଉ ସରପଞ୍ଚ ମନ୍ଦିର ପାଇଁ କିଛି ଯୋଗଦାନ ଯଦି କରିବେ, ତାହେଲେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ପ୍ରାର୍ଥୀ କରାଯିବ। ଆଉ ବୈଠକରେ ଗାଁର ସୁଶାନ୍ତ ଛତ୍ରିଆଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। ଅର୍ଥାତ୍ ପଞ୍ଚାୟତ ନିର୍ବାଚନରେ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଛିଡ଼ା ହେବେନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ତେବେ ବୈଠକରେ କିଛି ସର୍ତ୍ତ ରଖାଯାଇଥିଲା। ଯିଏ ବି ସରପଞ୍ଚ ହେବେ ସେ ଗାଁରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ସ୍ୱଇଚ୍ଛାରେ କିଛି ଦାନ କରିବେ। ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସୁଶାନ୍ତ ମନ୍ଦିର ପାଇଁ ୪୪ ଲକ୍ଷ ଟଙ୍କା ଦାନ କରିବାକୁ ରାଜି ହୋଇଥିଲେ। ଆଉ ୪୪ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ସୁଶାନ୍ତଙ୍କୁ ସରପଞ୍ଚ ପାଇଁ ମନୋନୀତ କରିଥିଲେ ପଞ୍ଚାୟତବାସୀ। ତେବେ ସରପଞ୍ଚ ପାଇଁ ଅନ୍ୟ ପ୍ରାର୍ଥୀ ମଧ୍ୟ ଥିଲେ। କିନ୍ତୁ ସୁଶାନ୍ତଙ୍କ ନାଁରେ ପଞ୍ଚାୟତବାସୀ ମୋହର ମାରିଥିଲେ। କାରଣ ଅନ୍ୟ ପ୍ରାର୍ଥୀ ମଧ୍ୟ ସୁଶାନ୍ତଙ୍କ ଚୟନକୁ ସ୍ୱାଗତ କରିଥିଲେ।
ଏ ନେଇ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ କହିଛନ୍ତି, ତିନି ଗାଁ’ର ମୁରବୀଙ୍କୁ ନେଇ ବୈଠକ ବସିଥିଲେ। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଯିଏ ବି ସରପଞ୍ଚ ହେବେ, ସେ ଜଗନ୍ନାଥ ମନ୍ଦିର ପାଇଁ ନିଜ ଇଚ୍ଛାରେ କିଛି ଦାନ କରିବେ। ମୁଁ ମନ୍ଦିର ପାଇଁ ୪୪ ହଜାର ଟଙ୍କା ଦାନ କରିବାକୁ କହିଥିଲି। ଆଉ ସମସ୍ତ ପଞ୍ଚାୟତବାସୀ ମୋ କଥାରେ ରାଜି ହୋଇଥିଲା। ଏହାସହ ମୁଁ ସର୍ତ୍ତ ରଖିଥିଲି ଯେ ମୋ ବିରୋଧରେ ଆଉ କେହି ପ୍ରାର୍ଥୀ ହେବେନି। ଆଉ ଏହି ସର୍ତ୍ତ ମୁତାବକ ମୁଁ ଟଙ୍କା ଦାନ କରିବାକୁ ରାଜି ହୋଇଥିଲି। ଆଉ ସମସ୍ତେ ମୋତେ ସମର୍ଥନ କରି ସରପଞ୍ଚ ପ୍ରାର୍ଥୀ କରିବାକୁ ସହମତ ହୋଇଥିଲେ। ଅନ୍ୟ ଆଶାୟୀ ସରପଞ୍ଚ ପ୍ରାର୍ଥୀ ମଧ୍ୟ ମୋତେ ସମର୍ଥନ କରିଥିଲେ। ନିର୍ବାଚନ ପାଇଁ ମୁଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବି ବୋଲି ସୁଶାନ୍ତ କହିଛନ୍ତି।
