ବେଙ୍ଗାଲୁରୁର ୪୪ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ, ସ୍କୁଲରୁ ପିଲାଙ୍କୁ ଘରକୁ ପଠାଗଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବେଙ୍ଗାଲୁରୁର ୪୪ଟି ଘରୋଇ ସ୍କୁଲ୍ ପରିସରରେ ବୋମା ଥିବା ନେଇ ଶୁକ୍ରବାର ସକାଳେ ଇ-ମେଲ୍ ଆସିଥିଲା। ଏହି ଇ-ମେଲ୍ ପାଇବା ପରେ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅତ୍ୟନ୍ତ ଆତଙ୍କିତ ହୋଇପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ଖବର ଦେବା ପରେ ସେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଓ ତଦନ୍ତକାରୀ ଦଳ ସହ ବିଭିନ୍ନ ସ୍କୁଲରେ ପହଞ୍ଚିଥିଲେ। ତୁରନ୍ତ ସ୍କୁଲ ପରିସରରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ବାହାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ଏଣୁ ଏହା ଏକ ମିଛ ବୋମା ଧମକ ହୋଇଥିବା ସଂଦେହ କରାଯାଉଛି ।

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି, ଆମେ ଇ-ମେଲର ଉତ୍ସ ଯାଞ୍ଚ କରୁଛୁ। ଆମେ ଏହାକୁ ଗମ୍ଭୀରତାର ସହ ନେଉଛୁ। ପ୍ରାଥମିକତା ଭିତ୍ତିରେ ଏହାର ତଦନ୍ତ କରିବାକୁ ମୁଁ ପୁଲିସକୁ ଜଣାଇଛି। ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଜାଣିବା ପରେ ଆତଙ୍କିତ ହୋଇ ନିଜ ପିଲାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ ସ୍କୁଲରେ ପହଞ୍ଚିଥିଲେ। ଏଭଳି ଆଜି ସ୍କୁଲ ପ୍ରଶାସନଗୁଡ଼ିକ ଏକ ଅଭୂତପୂର୍ବ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । “ବିଦ୍ୟାଳୟକୁ ବୋମା ମାଡ଼ ଧମକ ମିଳିଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସ୍କୁଲରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ବାହିନୀର ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଉଛି।“ ବୋଲି ଏକ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

Related Posts