
ଇସଲାମାବାଦ : ଆଜି ସକାଳୁ ସକାଳୁ (ଶୁକ୍ରବାର) ପାକିସ୍ତାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସକାଳ ୬ଟା ୧୮ମିନିଟ୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି | ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟ୍କା ଯୋଗୁଁ ଘରେ ଥିବା ଜିନିଷପତ୍ର ଦୋହଲିବାକୁ ଲାଗିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହାପରେ ଲୋକମାନେ ଜୀବନ ବଞ୍ଚାଇବାକୁ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।
ଏହାର ପ୍ରଭାବ ପାକିସ୍ତାନ ବ୍ୟତୀତ ଆଫଗାନିସ୍ତାନ ଏବଂ ଇରାନ୍ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଠାରେ ମଧ୍ୟ ଝଟ୍କା ଅନୁଭୂତ ହୋଇଥିଲା ।
ଭୂକମ୍ପ ଝଟ୍କା ଅନୁଭୂତ ହେବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଶାନ୍ତି ବଜାୟ ରଖିବା ଏବଂ ଧୈର୍ଯ୍ୟ ଧରିବାକୁ ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି ।
ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି ଯାହା କ୍ରମାଗତ ଭାବରେ ଘୂରୁଛି । ଯେଉଁଠାରେ ଏହି ପ୍ଲେଟ୍ ଅଧିକ ଧକ୍କା ହୁଏ ସେହି ଜୋନକୁ ଫଲ୍ଟ ଲାଇନ୍ କୁହାଯାଇଥାଏ । ବାରମ୍ବାର ଧକ୍କା ହେବା ଯୋଗୁଁ ପ୍ଲେଟଗୁଡିକର କୋଣ ମୋଡି ହୋଇଯାଏ । ଯେତେବେଳେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ପ୍ଲେଟ୍ ଭାଙ୍ଗିବାକୁ ଲାଗିଥାଏ ଏବଂ ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ବାଟ ଖୋଜିଥାଏ । ଏହି ବିଶୃଙ୍ଖଳା ପରେ ଭୂକମ୍ପ ଆସିଥାଏ ।