ଗୌହାଟୀ, (ସତ୍ୟପାଠବ୍ୟୁରୋ): ସକାଳୁ ସକାଳୁ ଭୂକମ୍ପରେ ଥରିଉଠିଲା ଆସାମ। ଆଜି ଭୋର ସମୟରେ ଆସାମର ନଗାଓଁ ଜିଲ୍ଲାରେ ୪.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିବାନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଦେଇଛି। ଭାରତୀୟ ସମୟ ଅନୁସାରେ ଭୋର ୪ଟା ୨୩ ମିନିଟ୍ ୪୭ ସେକେଣ୍ଡରେ ଏହି ଭୂକମ୍ପ ହୋଇଥିଲା। ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୩ କିଲୋମିଟର ତଳେ ଥିଲା। ଏନସିଏସ ଅନୁସାରେ, ଏହାର କେନ୍ଦ୍ରସ୍ଥଳ ୨୬.୪୨୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୩.୦୬୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇ ନଥିବା ଜଣାପଡିଛି।

ଏହାପୂର୍ବରୁ ଗତକଲି ରାତିରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ୨.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏନସିଏସ  ଅନୁସାରେ, ରାତି ୧୧ଟା ୪୮ ମିନିଟ୍ ୩୫ ସେକେଣ୍ଡରେ ଏହି ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୧.୬୧୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୩୦୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା। ଏନସିଏସ ଅନୁସାରେ, ଉନାରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ୨.୫ ଥିବା ବେଳେ ଭୁପୃଷ୍ଠଠାରୁ ଏହାର ଗଭୀରତା ୯ କିଲୋମିଟର ଥିଲା। ଏହି ଭୂକମ୍ପରେ ମଧ୍ୟ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ।