ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ବଡ଼ ଡାକ୍ତରଖାନାର ରାଜ୍ୟର ସବୁଠାରୁ ବଡ଼ ହସ୍ପିଟାଲ ଭାବେ ଖ୍ୟାତି ରହିଛି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ରୋଗୀ ରେଫର୍ ହୋଇ ଏଠାକୁ ଚିକିତ୍ସା ପାଇଁ ଆସନ୍ତି। ହେଲେ ରାଜ୍ୟର ସବୁଠାରୁ ଭରସାଯୋଗ୍ୟ କୁହାଯାଉଥିବା ଏସସିବି ମେଡିକାଲର ଏବେ ଅବସ୍ଥା ଶୋଚନୀୟ କହିଲେ ଚଳେ। ୬ମାସରୁ ଅଧିକ ସମୟ ହେବ ୬ଟି ବିଭାଗରେ ଜଣେ ହେଲେ ପ୍ରଫେସର ନାହାନ୍ତି। ଖା‌ଲି ସେତିକି ନୁହେଁ, ମେଡିସିନ୍‌, ଏଣ୍ଡୋକ୍ରାଏନୋଲୋଜି, ହେପାଟୋଲୋଜି, ନେଫ୍ରୋଲୋଜି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଖାଲି ପଡିଛି ଏକାଧିକ ବିଶେଷଜ୍ଞ ପଦ। ଏ ସଂପର୍କରେ ବାରମ୍ବାର ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଏ ସବୁକୁ କର୍ଣ୍ଣପାତ କରୁନାହିଁ। ଅନ୍ୟପଟେ ଏଣ୍ଡୋକ୍ରାଏନୋଲୋଜି, ଇମ୍ୟୁନୋଲୋଜି ଏଣ୍ଡ ରିମାଟୋଲୋଜି ବିଭାଗ ଚୁକ୍ତିଭିତ୍ତିକ ପ୍ରଫେସରରେ ଚାଲିଛି। ଗତବର୍ଷଠାରୁ ନୂଆ ମେଡିକାଲ କଲେଜରେ ପଦବି ପୂରଣ ପାଇଁ ଏସ୍‌ସିବିରେ ଏଭଳି ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜାନୁୟାରୀରୁ ଏହି ସମସ୍ୟା ବଢୁଛି ସିନା କମିବାର ନାଁ ନେଉନି। କେବଳ ସେତିକି ନୁହେଁ, ଟ୍ରମା ଆଇସିୟୁର ମୋଟ ୮ଟି ମେଡିକାଲ ଅଫିସର ପଦ ରହିଥିଲେ ମଧ୍ୟ, ସେଗୁଡ଼ିକ ବି ଖାଲି ପଡ଼ିଛି।

ଗୋଟିଏ ପଟେ ୫ଟି ରୂପାନ୍ତର ଅଧୀନରେ ସରକାର କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଠିକ୍ ସେତିକିବେଳେ ରାଜ୍ୟର ସବୁଠୁ ବଡ଼ ରେଫରାଲ୍‌ ହସ୍ପିଟାଲ ଭାବେ ଏସ୍‌ସିବିରେ ଏବେ ବିଶେଷଜ୍ଞ ଡାକ୍ତର ସମସ୍ୟ‌ା ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି। ଯାହାକି ରାଜ୍ୟର ଚିକିତ୍ସା ବ୍ୟବସ୍ଥାକୁ ଧୀରେ ଧୀରେ ପଙ୍ଗୁ କରିଦେବା ଭଳି ସ୍ଥିତି ସୃଷ୍ଟି ହେଲାଣି। ବର୍ତ୍ତମାନର ସ୍ଥିତି ଯାହା ବୟାନ କରୁଛି ନେଫ୍ରୋଲୋଜି, ୟୁରୋଲୋଜି, ମାଇକ୍ରୋବାୟୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି, ଫିଜିଓଲୋଜି, ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ଆଦି ବିଭାଗରେ କେହି ଜଣେ ହେଲେ ବି ପ୍ରଫେସର ନାହାନ୍ତି। ଯାହା ଫଳରେ ବିଭିନ୍ନ ବିଭାଗରେ ଡିଏମ୍‌, ଏମ୍‌ସିଏଚ୍‌ ପାଠ୍ୟକ୍ରମ ସବୁ ପ୍ରଭାବିତ ହେବାର ଆଶଙ୍କା ଉପୁଜିଲାଣି।

କେବଳ ଚିକିତ୍ସା ସେବା ଯେ ପ୍ରଭାବିତ ହେଉଛି ତା ନୁହେଁ, ଏହାଦ୍ବାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା, ଉଚ୍ଚତର ଗାବେଷଣା ମଧ୍ୟ ପ୍ରଭାବିତ ହେଉଛି। ଏମିତି ସ୍ଥିତି ଉପୁଜିଛି ଯେ, ମେଡିସିନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମଧ୍ୟ ବିଷେଷଜ୍ଞ ଡାକ୍ତରଙ୍କ ମରୁଡି ପଡ଼ିଛି। ୮ଜଣରୁ ୨ଜଣ ଆସୋସିଏଟ୍‌ ପ୍ରଫେସର୍‌, ୧୫ଜଣ ଏସ୍‌ଆର୍‌ ରହିବା ସ୍ଥାନରେ ମାତ୍ର ୨/୩ ଜଣଙ୍କୁ ନେଇ ବିଭାଗ ଚାଲିଛି। ବିଭାଗରେ ୪୫ଜଣଙ୍କ ରହିବା ସ୍ଥାନରେ ୨୨/୨୩ଜଣଙ୍କୁ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଚାଲିଛି ବିଭାଗ। ‌ନେଫ୍ରୋଲୋଜି ବିଭାଗରେ ମଧ୍ୟ ସମାନ ସ୍ଥିତି। ବିଭାଗରେ ୩ଜଣ ପ୍ରଫେସର ରହିବା କଥା। ହେଲେ ଜଣେ ହେଲେ ପ୍ରଫେସର ନାହାନ୍ତି। ଜଣେ ଆସାସିଏଟ୍‌ ପ୍ରଫେସର୍‌ ଓ ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର୍‌ଙ୍କୁ ନେଇ ଚାଲିଛି ବିଭାଗ। ହେପାଟୋଲୋଜି ବିଭାଗରେ ମଧ୍ୟ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲି ପଡିଛି। ଅନ୍ୟପଟେ ଏଣ୍ଡୋକ୍ରାଏନୋଲୋଜି ବା ଅନ୍ତଃସ୍ରାବୀ ବିଭାଗ ମଧ୍ୟ ପ୍ରଫେସର ଶୂନ୍ୟ ଥିବା ବେଳେ ଅବସରପ୍ରାପ୍ତ ପ୍ରଫେସରଙ୍କ ଦ୍ବାରା ଚାଲିଛି ବିଭାଗ। ସେହିପରି କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଏଣ୍ଡ ରିମାଟୋଲୋଜି ବିଭାଗରେ ବି ସମାନ ସ୍ଥିତି। ଏସ୍‌ସିବିରେ ସବୁ ବିଭାଗରେ ଏମିତି ବିଶେଷଜ୍ଞ ପଦ ଖାଲି ପଡିଥିବାରୁ ଡାକ୍ତରୀ ପିଲାଙ୍କ ପାଠପଢା ଓ ଉଚ୍ଚତର ଗବେଷଣା ବିଶେଷ ଭାବେ ପ୍ରଭାବିତ ହେଉଛି।

ଦିନକୁ ଦିନ ଏସସିବି ଗୋଟିକ ପରେ ଗୋଟିଏ ବିଭାଗ ପ୍ରଫେସର ଶୂନ୍ୟ ହେବାରେ ଲାଗିଛି। ଆଗକୁ ବିଭିନ୍ନ ବିଭାଗକୁ ଏନ୍‌ଏମ୍‌ସି ପରିଦର୍ଶନରେ ଆସିବାର ସମୟ ଧାର୍ଯ୍ୟ ହୋଇଛି। ପ୍ରଫେସର ଅଭାବ ଯୋଗୁଁ ବିଭିନ୍ନ ବିଭାଗ ଡିଏମ୍‌ ପାଠ୍ୟକ୍ରମ ନେଇ ସମସ୍ୟା ଉପୁଜିପାରେ ବୋଲି ବର୍ତ୍ତମାନ ଆଶଙ୍କା ଦେଖାଦେଲାଣି। ସରକାର ରାଜ୍ୟରେ ଗୋଟିକ ପରେ ଗୋଟିଏ ମେଡିକାଲ୍‌ କଲେଜ ଖୋଲି ଚାଲିଥିବାବେଳେ ଏପଟେ କିନ୍ତୁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜଗୁଡିକରେ ବିଶେଷଜ୍ଞ ପଦ ଖାଲି ପଡୁଛି। ତା ବଦଳରେ ଯେମିତି ଓପିଏସ୍‌ସି ମଧ୍ୟମରେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା କଥା ତା ଦିଆଯାଉନି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରୁଥିଲେ ମଧ୍ୟ ସେଥିପ୍ରତି କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା ଫଳରେ ସରକାର ବିଜ୍ଞପ୍ତି ପ୍ରକାଶ କଲେ ବି ସେଗୁଡ଼ିକ ପୂରଣ ହୋଇପାରୁନି। ତେବେ ଏସବୁ ଭିତରେ ୫ଟି ଅଧିନରେ ଏସସିବିକୁ ବିଶ୍ବ ସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ବର୍ତ୍ତମାନ ନାହିଁ ନାହିଁ ଭିତରେ ଚାଲିଥିବା ବଡ଼ ଡ଼ାକ୍ତରଖାନାର କେବଳ ଭିତ୍ତିଭୂମି ବିକାଶ କରିଦେଲେ ଏହା କେତେଦୂର ବିଶ୍ବସ୍ତରୀୟ ହୋଇ ପାରିବ ତାହା ଆଗାମୀ ଦିନରେ ଜଣା ପଡ଼ିବ।