ପ୍ରଶାସନ, 5T ଓ ରଞ୍ଜୁଲତାଙ୍କ ଫେରାଦ୍

ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟ ରାଜନୀତିରେ ଏବେ ସବୁଠୁ ବଡ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି 5T । ବିଧାନସଭା ଠାରୁ ଆରମ୍ଭ କରି ଗଣମାଧ୍ୟମ, ସୋସିଆଲ ମିଡିଆ, ଚା ଖଟି, ରାସ୍ତା ଘାଟ ସବୁଠି 5T କୁ ନେଇ ଚର୍ଚ୍ଚା। ଏସବୁ ଦର୍ଶାଉଛି ରାଜ୍ୟ ପ୍ରଶାସନରେ 5T ର ଅଖଣ୍ଡ କ୍ଷମତା ଓ ଲୋକଂକ ଭିତରେ ଏହାର ପ୍ରଭାବ। ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ଆବଶ୍ୟକତା ଠାରୁ ଅଧିକ ଉତ୍ସାହିତ। ମାତ୍ର 5T ଅଖଣ୍ଡ କ୍ଷମତାଶାଳୀ ହେବାକୁ ନେଇ ପ୍ରଶାସନରେ ଏବେ ବିଚିତ୍ର ସ୍ଥିତି ଉପୁଜିଛି। ତାର ଏକ ବଡ ଉଦାହରଣ ହେଲା ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଗୋପାଳପୁର ଥାନା ଅନ୍ତର୍ଗତ ଜନୈକ ମହିଳା ରଂଜୁଲତା ପଣ୍ଡାଂକ ଦୁଃଖ କାହାଣୀ। ରଂଜୁଲତାଂକ ୧୬ ବର୍ଷର ନାବାଳିକା ଝିଅକୁ ଗତ ଫେବୃଆରୀ ୨୧ ତାରିଖ ସଂଧ୍ୟାରେ ପାଖ ଗାଁର କେତେକ ଅପହରଣ କରିଥିଲେ। ଅପହୃତା ଝିଅକୁ ଫେରିପାଇବା ପାଇଁ 5T ହିଁ ଏବେ ରଂଜୁଲତାଂକ ଏକମାତ୍ର ଭରଷା।

ସ୍ଥାନୀୟ ଓ ଜିଲ୍ଲା ପୋଲିସ ପ୍ରଶାସନ ଦ୍ବାରା ନିରାଶ ହେବା ପରେ ବିଚରା ମାଆର ଚିନ୍ତା କିଭଳି 5T ପାଖରେ ଝିଅ ଅପହରଣ କଥାକୁ ଫେରାଦ କରିପାରିବ। କିନ୍ତୁ ସମସ୍ୟା ହେଲା 5T ପାଖରେ ପହଁଚିବ କେମିତି, 5T ର ଠିକଣା କଣ, 5T ର ଫୋନ ନମ୍ବର କଣ, ମେଲ୍ ଆଇ ଡି କିଏ ଜାଣିଛି? କିଛି ନ ପାଇବା ପରେ ଶେଷରେ ବିଚରା ରଂଜୁଲତାଂକୁ କିଛି ଲୋକ ପରାମର୍ଶ ଦେଲେ ସୋସିଆଲ ମିଡିଆ ଟୁଇଟର୍ ପ୍ଲାଟଫର୍ମ ଜରିଆରେ 5T ପାଖରେ ପହଁଚିହେବ। ରଂଜୁଲତା ଯିଏକି ଗାଁରେ ରୁହନ୍ତି ଟୁଇଟର କଣ ବୁଝିନାହାନ୍ତି ଶେଷରେ କିଛିଦିନ ତଳେ ଟୁଇଟର ହ୍ୟାଣ୍ଡଲ ଟିଏ ଖୋଲିଲେ। ଏବଂ ଟୁଇଟରରେ ଝିଅ ଅପହରଣ ଅଭିଯୋଗ 5T ଙ୍କ ଉଦେଶ୍ୟରେ ପଠାଇଛନ୍ତି। ରଂଜୁଲତାଂକ ଟୁଇଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରଂଜୁଲତା ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି ଯେ ଝିଅ ଅପହରଣ ହେବାର ଇତିମଧ୍ୟରେ ୧ ମାସ ହେବାକୁ ବସିଥିଲେ ମଧ୍ୟ ସ୍ଥାନୀୟ ଓ ଜିଲ୍ଲା ପୋଲିସ କିଛି କରୁନାହିଁ । ଝିଅର ଜୀବନ ବଞ୍ଚାଇବା ସହ ତାକୁ ମୁକୁଳାଇବା ପାଇଁ ମୋ ସରକାର ଓ 5T ପାଖରେ ନେହୁରା ହୋଇଛନ୍ତି ରଂଜୁଲତା। ଅବଶ୍ୟ ଏହାପରେ ସେ ଡିଜି ପୋଲିସ ଓ ମୁଖ୍ୟ ଶାସନ ସଚିବଂକୁ ମଧ୍ୟ ଟୁଇଟ୍ କରିଛନ୍ତି।

ତେବେ ରଂଜୁଲତାଂକ ଟୁଇଟ୍ ପ୍ରଶାସନର ଯେଉଁ ଦୁର୍ଭାଗ୍ୟପୂର୍ଣ ଚେହେରାକୁ ସାମନାକୁ ଆଣିଛି ତା ହେଲା 5T ପାଖରେ କ୍ଷମତାର ଅଖଣ୍ଡ କେନ୍ଦ୍ରୀକରଣ ଅନ୍ୟପଟେ ପ୍ରଶାସନର ପ୍ରଚଳିତ ବ୍ୟବସ୍ଥା ପକ୍ଷାଘାତ ଆକ୍ରାନ୍ତ ହେବା। ଯେଉଁ ବିଭାଗ ବା ଅଧିକାରୀ ନ୍ୟାୟ ପ୍ରଦାନ କରିବା କଥା ସାମାନେ ତାହା କରୁନାହାନ୍ତି। ତେଣୁ ଲୋକଙ୍କ ମନରେ ଏବେ ଧାରଣା ସୃଷ୍ଟି ହେଲାଣି ଯେ କେବଳ 5T ପାଖରେ ହିଁ ନ୍ୟାୟ ମିଳିପାରିବ ଆଉ କେଉଁଠି ନୁହଁ। ଯାହାର ନଜିର ହେଉଛି ରଂଜୁଲତାଂକ ଟୁଇଟ୍।

ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ଗତ ୫ ବର୍ଷରେ ପ୍ରାୟ ୧୪ ହାଜର ନାବାଳିକା ଝିଅ ନିଖୋଜ ହୋଇଛନ୍ତି। ଅଥଚ ସରକାର ରାଜ୍ୟ ଶିଶୁ ଆୟୋଗକୁ ଅଚଳ କରି ରଖିଛନ୍ତି। ଆୟୋଗର ସମସ୍ତ ୬ ସଦସ୍ୟ ପଦବୀ ଖାଲି ପଡିଛି। ସେପଟେ ଆୟୋଗରେ ହଜାର ହଜାର ମାମଲା ବିଚାର ନ ହୋଇ ପଡିରହିଛି। ସମାନ ଅବସ୍ଥା ମହିଳା ଆୟୋଗର। ଗତ ୫ ବର୍ଷରେ ରାଜ୍ୟର ୪୪ ହଜାର ମହିଳା ନିଖୋଜ ହୋଇଛନ୍ତି। ମାତ୍ର ସହିଳା ନିଯୁକ୍ତି ନ ଦେଇ ଆୟୋଗର ସମସ୍ତ ସଦସ୍ୟ ପଦକୁ ଖାଲି ପକେଇ ରଖିଛନ୍ତି। ଏନେଇ ମାନ୍ୟବର ହାଇକୋର୍ଟ ସରକାରଙ୍କୁ ନୋଟିସ କରିଛନ୍ତି ସତ୍ୟପାଠ ଦାଖଲ କରିବାପାଇଁ। ରଂଜୁଲତାଂକ ଝିଅ ଅପହରଣ ଘଟଣା ନବୀନ ବାବୁଂକ ଶାସନର ବିଚିତ୍ର ବିଧାନକୁ ସାମନାକୁ ଆଣିଛି, ତାହା ହେଲା ପୁରା ପ୍ରଶାସନ ବରଂ ବୁଡିଯାଉ ମାତ୍ର ଫାଇଭ ଟି ଏକୋଇରବାଳା ସର୍ବଶକ୍ତିମାନ ହୋଇରହିଥାଉ।

Related Posts