ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ଅପରାହ୍ନରେ ରାଜସ୍ଥାନର ଯୋଧପୁରରେ ୫ଟି ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିବାରୁ ୨ଜଣ ପିଲାଙ୍କ ସମେତ ବାହାଘରକୁ ଅତିଥି ହୋଇ ଆସିଥିଲା ପ୍ରାୟ ୬୦ଜଣ ବ୍ୟକ୍ତି ପୋଡ଼ିଯାଇ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଘଟଣଟି ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର୍ ଦୂର ଶେରଗଡ଼ର ଭୁଙ୍ଗ୍ରା ଗାଁରେ ଅପରାହ୍ଣ ୩.୧୫ରେ ଘଟିଛି।ଗ୍ରାମର ବାସିନ୍ଦା ତଖ୍ତ୍ ସିଂହଙ୍କ ଘରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ଘରୁ ବର ଶୋଭାଯାତ୍ରା ବାହାରିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିବାରୁ ୬୦ଜଣ ବ୍ୟକ୍ତି ପୋଡ଼ି ଆହତ ହୋଇଥିଲେ।
ସେତେବେଳେ ଘଟଣାସ୍ଥଳରେ ବହୁସଂଖ୍ୟକ ବରଯାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ଆପ୍ୟାୟନ ନିମନ୍ତେ ରୋଷେଇବାସ ଚାଲିଥିଲା। ୫ଟି ସିଲିଣ୍ଡର୍ ଫାଟିବାରୁ ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଥିଲା। ଖାଇ ବସିଥିବା ଅନେକ ଲୋକ ପୋଡ଼ି ଆହତ ହୋଇଥିଲେ। ଅତିଥିମାନଙ୍କୁ ଉଦ୍ଧାର କରିବାକୁ ଯାଇ ବର ଓ ତାଙ୍କର ବାପା ବି ଆହତ ହୋଇଛନ୍ତି।
ଉପସ୍ଥିତ ଲୋକେ ବି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଭୟଙ୍କର ଅଗ୍ନିକାଣ୍ଡକୁ ଆୟତ୍ତ କରିବା ଅସମ୍ଭବ ଥିଲା। ଶେଷରେ ବାଲ୍ତୋରା ଅଗ୍ନିଶମ ଟିମ୍ ଆସି ପାଣି ପକାଇ ନିଆଁ ଲିଭାଇ ଥିଲେ। ରୋଷେଇ ଚାଲିଥିବା ବେଳେ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ରୁ ଗ୍ୟାସ୍ ଲିକ୍ ହେବାରୁ ଏଭଳି ଅଭାବନୀୟ ପରିସ୍ଥିତ ସୃଷ୍ଟି ହେଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ୬୦ଜଣ ଆହତଙ୍କ ମଧ୍ୟରୁ ୪୨ଜଣଙ୍କୁ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ଜଣ ୯୦%ରୁ ଅଧିକ ପୋଡ଼ିଯାଇଥିବା ବେଳେ ୧୫/୨୦ଜଣ ୫୦%ରୁ କମ୍ ପୋଡ଼ିଛନ୍ତି। ବାକି ୧୭ଜଣଙ୍କର ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।





