ପୁରୀ ପାଇଁ ୫ ଯୁବ ଆଇଏଏସ ଅଧିକାରୀ ନିଯୁକ୍ତ

ପୁରୀର ବିକାଶ ପାଇଁ ୫ଆଇଏଏସ ଅଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ଏହି ଶିକ୍ଷାନବିଶ ଆଇଏଏସମାନେ ପୁରୀ ଜିଲ୍ଲାପାଳଙ୍କୁ କାର୍ଯ୍ୟରେ ସହଯୋଗ କରିବେ ।

ପୁରୀର ବିକାଶ ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ଦାୟୀତ୍ୱରେ ରହିବେ ଏହି ୫ଜଣ ଯୁବ ଆଇଏଏସ । ଏହି ଆଇଏଏସ ଅଫିସରମାନେ ୨୦୧୮ବ୍ୟାଚର ହୋଇଥିବା ବେଳେ ଏମାନଙ୍କ ନାଁ ହେଉଛି ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ. ଶୁଭଙ୍କର ମହାପାତ୍ର, କୀର୍ତ୍ତିଭାସନ ଭି, ଜେ. ସୋନାଲ ଏବଂ ଭୁବନେଶ ଦେବଦାସ ପାଟ୍ଟିଲ । ଏହି ଆଇଏଏସ ଅଧିକାରୀମାନେ ଆଜି ପୁରୀରେ କାର୍ଯ୍ୟରେ ଯୋଗଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ସେମାନଙ୍କୁ ସେମାନଙ୍କର ଦାୟୀତ୍ୱ ସମ୍ପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ମହାପ୍ରଭୁଙ୍କ କ୍ଷେତ୍ରର ନୂତନ ନିର୍ମାଣ ପାଇଁ କିଛିଦିନ ପୂର୍ବେ ବିଭିନ୍ନ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପୁରୀକୁ ଏକ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ଲାଗି ଯେଉଁ ପ୍ରକଳ୍ପ ହାତକୁ ନିଆଯାଉଛି, ସେସବୁର ଦାୟୀତ୍ୱରେ ଏହି ଆଇଏଏସମାନେ ରହିବେ ।

ବିଶେଷକରି ୨୫କୋଟି ଟଙ୍କା ବ୍ୟୟ ଅଟକଳରେ ରଘୁନନ୍ଦନ ପାଠାଗାର ସହ ୫୯୫କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷାନଦୀର ପୁନଃରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯୀକରଣ, ଅଠରନଳାର ବିକାଶ ଓ ମଠ ବିକାଶ ପାଇଁ ସରକାରଙ୍କର ସ୍ୱତନ୍ତ୍ର ଯୋଜନା ରହିଛି । ସରକାରଙ୍କ ଏସବୁ କାର୍ଯ୍ୟର ତଦାରଖର କରିବେ ଏହି ୫ଯୁବ ଆଇଏଏସ ଅଧିକାରୀ ।

Related Posts