ପିଏଫଆଇର ଧମକ ପରେ କେରଳର ୫ ଆରଏସଏସ ନେତାଙ୍କୁ ମିଳିଲା ୱାଇ କାଟାଗୋରୀ ସୁରକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କେନ୍ଦ୍ର ସରକାର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କୁ ୫ବର୍ଷ ପାଇଁ ବ୍ୟାନ କରିଛନ୍ତି । ସୂଚନା ଅନୁସାରେ ସେପ୍ଟମ୍ବର ୨୨ ତାରିଖରେ ଏନଆଇଏ ଦେଶର ୧୫ଟି ରାଜ୍ୟରେ ପିଏଫଆଇ ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୧୦୦ ରୁ ଉର୍ଦ୍ଧ ପିଏଫଆଇ କର୍ମୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଚଢାଉ ସମୟରେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ନେତା ସେମାନଙ୍କ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏହି ୫ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଏ ନେଇ ଆଲର୍ଟ କରାଯାଇଥିଲା । ଏଣିକି ଏହି ଆରଏସଏସ ନେତା ମାନଙ୍କ ସହ ୨ରୁ୩ କମାଣ୍ଡୋ ସୁରକ୍ଷା ପାଇଁ ରହିବେ । ପଶ୍ଚିମବଙ୍ଗର ବିଜେପି ସଂସଦ ସଞ୍ଜୟ ଜୟସୱାଲଙ୍କୁ ମଧ୍ୟ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।

ତେବେ ଅଗ୍ନିପଥ ଯୋଜନାର ଆରମ୍ଭ ବେଳେ ସଞ୍ଜୟ ଏବଂ ଅନ୍ୟ ବିଜେପି ନେତାଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ସେଥିପାଇଁ ତାଙ୍କୁ ଏହି ସିକ୍ୟୁରିଟି ପ୍ରଦାନ କରାଯାଇଛି । ସିଆରପିଏଫର ଭିଆଇପି ସୁରକ୍ଷା ପରିସରରେ ଏବେ ଦେଶର ସର୍ବମୋଟ ୧୨୫ ଜଣ ବ୍ୟକ୍ତି ସାମିଲ ହୋଇଛନ୍ତି । ପିଏଫଆଇକୁ ବ୍ୟାନ କରାଯିବା ପରେ ଏହାର ସଦସ୍ୟମାନେ ଉଗ୍ର ହୋଇ ଉଠିଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ଉପରେ ସରକାର କଡା ନଜର ରଖିଛନ୍ତି ।

Related Posts