ଦେଶର ସମସ୍ତ ଶତାୟୁ ଭୋଟରଙ୍କୁ ଚିଠି ଲେଖିଲେ ନିର୍ବାଚନ କମିଶନ, ନିର୍ବାଚନରେ ଅଂଶଗ୍ରହଣ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶନିବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ପ୍ରକ୍ରିୟାରେ ଅବଦାନ ପାଇଁ ସାରା ଦେଶରେ ଅଢ଼େଇ ଲକ୍ଷରୁ ଅଧିକ ଶତାୟୁ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଦେଶରେ ୧୦୦ ବର୍ଷରୁ ଅଧିକ ବୟସର ଅଢ଼େଇ ଲକ୍ଷରୁ ଅଧିକ ଭୋଟର ଥିବାବେଳେ ୮୦ ବର୍ଷରୁ ଅଧିକ ବୟସର ପ୍ରାୟ ୧୮କୋଟି ଭୋଟର ଅଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଚିଠିରେ ଲେଖିଛନ୍ତି ଯେ ଆପଣଙ୍କ ପରି ଦାୟିତ୍ୱବାନ ବୟସ୍କ ଭୋଟରଙ୍କ କାରଣରୁ ଆମେ ଗଣତାନ୍ତ୍ରିକ ଦେଶ ଭାବରେ ଉନ୍ନତି କରୁଛୁ ଏବଂ ବିଶ୍ୱକୁ ପରାସ୍ତ କରୁଛୁ। ଶତାୟୁ ଭୋଟରଙ୍କୁ କୃତଜ୍ଞତା ଜଣାଇ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ପଠାଯାଇଛି। ଏହି ଚିଠିଗୁଡିକ ସମସ୍ତ ଶତାୟୁ ଭୋଟରଙ୍କୁ ହସ୍ତାନ୍ତର କରାଯିବ।

ଏନେଇ ରାଜୀବ କୁମାର କହିଛନ୍ତି ଯେ, ବୟସ୍କ ଭୋଟରମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବାକୁ ସେମାନଙ୍କର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସେମାନଙ୍କର ଏହି ଉତ୍ସାହ ଯୁବକମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଛି। ସେ ଆହୁରି କହିଛନ୍ତି ଯେ, ବିଭିନ୍ନ ନିର୍ବାଚନ ସମୟରେ ଶତାୟୁ ଭୋଟର ମାନେ ଭୋଟ ଦେଇ ନିଜ ଭୋଟର ମୂଲ୍ୟର ପ୍ରକୃତ ଅର୍ଥ ପ୍ରମାଣ କରିଛନ୍ତି।

ତେବେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହିତ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ଶତାୟୁ ଭୋଟରଙ୍କ ସହ ଆଲୋଚନା କରିଥିଲେ ଓ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

Related Posts