ଯାଜପୁର ଜିଲ୍ଲାରେ ଖାଲିପଡିଛି ୫ ତହସିଲଦାର ପଦ : ମାଫିଆଙ୍କ କବଜାରେ ଲଘୁଖଣିଜ ସମ୍ପଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଲଘୁଖଣିଜ ସମ୍ପଦରେ ପରିପୂର୍ଣ୍ଣ ଯାଜପୁର ଜିଲ୍ଲା ଏବେ ଚୋରା କାରବାରର ରାଜଧାନୀ ପାଲଟିଛି । ଚୋରା କାରବାରକୁ ନେଇ ପୁଲିସ, ଖଣି ଓ ପରିବେଶ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ତହସିଲଗୁଡ଼ିକ କାର୍ପଟଦାର ସାଜିଥିବା ନେଇ ଅଭିଯୋଗ ହେଉଛି। ଏହାକୁ ବିରୋଧ କରି ଲୋକାୟୁକ୍ତ, ଉଚ୍ଚନ୍ୟାୟାଳୟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଏବଂ ଭିଜିଲାନ୍ସରେ ଏକାଧିକ ମାମଲା ରୁଜୁ ହୋଇଛି। 

ଏପଟେ ଖଣିଜ ସମ୍ପଦର ଚୋରା କାରାବାର ଯୋଗୁଁ ରାଜ୍ୟ ସରକାରଙ୍କର ଶହ ଶହ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଲଘୁ ଖଣିଜ ସମ୍ପଦରର ହରିଲୁଟ ହେଉଥିବା ବେଳେ ଯାଜପୁର ଜିଲ୍ଲାର ୧୦ଟି ତହସିଲ ମଧ୍ୟରୁ ୫ଟି ରେ ତହସିଲଦାର ପଦ ଖାଲିପଡ଼ିଛି।

ତହସିଲଦାର ନିଯୁକ୍ତ ନହେବା ନେଇ ଏବେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ବୁଦ୍ଧିଜୀବୀ । ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଜିଲ୍ଲାର ଧର୍ମଶାଳା, ରସୁଲପୁର, ବ୍ୟାସନଗର, ସୁକିନ୍ଦା ଓ ବିଂଝାରପୁରରେ ତହସିଲଦାର ପଦବି ଖାଲି ପଡିଛି । ରାଜ୍ୟରେ ସର୍ବାଧିକ ରାଜସ୍ବ ଦେଉଥିବା ଧର୍ମଶାଳା ତହସିଲର ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ କିଛି ମାସ ମଧ୍ୟରେ ବଦଳି କରିଦିଆଗଲା। ଅନ୍ୟ ପକ୍ଷରେ ବିଂଝାରପୁରର ମହିଳା ତହସିଲଦାରଙ୍କର କାର୍ଯ୍ୟକଳାପ ରାଜନେତାଙ୍କ ସପକ୍ଷରେ ନଯିବା କାରଣରୁ ତାଙ୍କୁ ମଧ୍ୟ ଟ୍ରାନ୍ସଫର କରିଦିଆଗଲା। ସେହିପରି ବ୍ୟାସନଗର ତହସିଲଦାର ମଧ୍ୟ ଋତୁ ପରିବର୍ତ୍ତନ ବଦଳିବାରେ ଲାଗିଛନ୍ତି। ଯାଜପୁର ଜିଲ୍ଲାରେ ଲଘୁ ଖଣିଜ କାରବାର ଏକ ପ୍ରକାର ମାଫିଆ ଓ ବେଆଇନ ଲିଜଧାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିବା ନେଇ ଆଲୋଚନା ହେଉଛି ।

Related Posts