(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଭାରତର ଚିନ୍ତା ବଢିବାରେ ଲାଗିଛି। ତାଲିବାନ ବର୍ତ୍ତମାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି। ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ତାଲିବାନ ରୋକ ଲଗାଇ ଦେଇଥିବା ଜଣାପଡ଼ିଛି।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (FIEO) ର ମହାନିର୍ଦ୍ଦେଶକ (ଡିଜି) ଡ ଅଜୟ ସାହି ANI କୁ କହିଛନ୍ତି ଯେ ବର୍ତ୍ତମାନ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍ ଦେଇ ହେଉଥିବା ମାଲ ପରିବହନକୁ ବନ୍ଦ କରି ଦେଇଛି ଫଳରେ ଆଫଗାନରୁ ଆସୁଥିବା ଜିନିଷ ଗୁଡ଼ିକ ଭାରତରେ ପହଞ୍ଚି ପାରୁନି। ଆମେ ଆଫଗାନିସ୍ତାନରେ ଘଟୁଥିବା ଘଟଣା ଉପରେ ନଜର ରଖିଛୁ।
FIEO ଡିଜି ANI କୁ କହିଛନ୍ତି, “ଆମେ ଆଫଗାନିସ୍ତାନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ସେଠାରୁ ଆମଦାନୀ ହେଉଥିବା ଜିନିଷ ଗୁଡ଼ିକ ପାକିସ୍ତାନର ଟ୍ରାଞ୍ଜିଟ ମାର୍ଗ ଦେଇ ଆସିଥାଏ। ବର୍ତ୍ତମାନ ସୁଦ୍ଧା ତାଲିବାନ ପାକିସ୍ତାନକୁ ମାଲ ପରିବହନ ବନ୍ଦ କରିଦେଇଛି। ତେଣୁ ଆମଦାନୀ ବନ୍ଦ ହୋଇଯାଇଛି।”
ଆଫଗାନିସ୍ତାନ ସହ ଭାରତର ବ୍ୟବସାୟିକ ସମ୍ପର୍କ ରହିଛି। ୨୦୨୧ରେ ଆଫଗାନିସ୍ତାନକୁ ପ୍ରାୟ ୮୩୫ ମିଲିୟନ ଡଲାରର ସାମଗ୍ରୀ ରପ୍ତାନୀ ହେବାର ଥିଲା। ଭାରତ ଆଫଗାନିସ୍ତାନକୁ ୫୧୦ ମିଲିୟନ ଡଲାରର ଜିନିଷ ମଧ୍ୟ ଆମଦାନୀ କରିଥାଆନ୍ତା। କିନ୍ତୁ ଏବେ ସବୁ କିଛି ଅଧାରୁ ବନ୍ଦ ହୋଇ ଯାଇଛି।
ଆମଦାନୀ ଓ ରପ୍ତାନୀ ସହ ଆମେ ବିପୁଳ ପରିମାଣର ଅର୍ଥ ମଧ୍ୟ ଆଫଗାନରେ ନିବେଶ କରିଛୁ। ଆଫଗାନରେ ୩ ବିଲିୟନ ଡଲାରର ପୁଞ୍ଜି ନିବେଶ କରାଯାଇଛି। ୪୦୦ଟି ପ୍ରକଳ୍ପ କାମ ମଧ୍ୟ ଚାଲିଛି। ଏବେ ଏସବୁ ଆଶା ଆଶଙ୍କା ମଧ୍ୟରେ ରହିଥିବା FIEO ଡିଜି କହିଛନ୍ତି।
ଭାରତରୁ ଆଫଗାନକୁ ଚିନି, ଫାର୍ମାସିଟ୍ୟୁକାଲ୍ସ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଓ ଟ୍ରାନ୍ସମିଶନ ଟାୱାର ରପ୍ତାନୀ ହୋଇଥାଏ। ସେହିପରି ଭାରତ ଡ୍ରାଏ ଫ୍ରୁଟ ପାଇଁ ସାଧାରଣତଃ ଆଫଗାନ ଉପରେ ନିର୍ଭର କରେ। କିଛି ପରିମାଣର ପିଆଜ ଓ ବିଭିନ୍ନ ପ୍ରକାରର ଚୁଇ ଗମ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ।ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ ଠପ ହୋଇଯାଇଛି। ଏହି କାରଣରୁ ବ୍ୟବସାୟିମାନେ ଚିନ୍ତିତ।
ଫେଡେରେସନ୍ ଅଫ୍ ଇଣ୍ଡିଆ ରପ୍ତାନି ସଂଗଠନ ଚିନ୍ତା ପ୍ରକଟ କରିଛି ଯେ ଆଫଗାନିସ୍ତାନରେ ଅଶାନ୍ତି ହେତୁ ଆଗାମୀ ଦିନରେ ଫଳର ଦାମ୍ ବଢିପାରେ। ଭାରତ ଆଫଗାନିସ୍ତାନରୁ ପ୍ରାୟ ୮୫ ପ୍ରତିଶତ ଶୁଖିଲା ଫଳ ଆମଦାନୀ କରୁଛି।
