ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାର୍ଚ୍ଚ ମାସ ସୁଦ୍ଧା ଓଡିଶାବାସୀ ୫ଜି ସେବାର ସୁବିଧା ପାଇବେ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଟେଲିକମ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କେତୋଟି ସହରରେ ୫ଜି ସେବା ଆରମ୍ଭ ହେବ ସେହି ସହର ଗୁଡିକ ମଧ୍ୟରେ ଓଡିଶାର ୮ଟି ପ୍ରମୁଖ ସହର ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ହେଲେ କେଉଁ କେଉଁ ସହର ଏଥିରେ ସାମିଲ ହେବ ସେ ନେଇ ମନ୍ତ୍ରୀ ସ୍ପଷ୍ଟ କରି ନାହାନ୍ତି। ପୂର୍ବରୁ ପୁରୀରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିର ରେ ମଧ୍ୟ ଖୁବଶୀଘ୍ର ଓଡିଶାରେ ୫ଜି ସେବା ଆରମ୍ଭ ହେବ ବୋଲି କହିଥିଲେ ମନ୍ତ୍ରୀ।
ଉଲ୍ଲେଖଯୋଗ୍ଯ ଯେ, ନିକଟରେ ଅକ୍ଟୋବର ୧ ତାରିଖରେ ଦିଲ୍ଲୀରେ ୫ଜି ସେବାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଏବଂ ଆଦାନୀ ଗ୍ରୁପ ଭଳି କମ୍ପାନୀ ୫ଜି ସେବା ଦେବା ପାଇଁ ସ୍ପେକ୍ଟ୍ରମ ନିଲାମୀ ନେଇଛନ୍ତି। ଯଦିଓ ଜିଓ ଏବଂ ଏୟାରେଟଲ ଦେଶର କିଛି ସହରରେ ପରୀକ୍ଷାମୂଳକ ଭାବେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି ହେଲେ ଭୋଡୋଫୋନ-ଆଇଡିଆ ଏ ନେଇ କୌଣସି ପ୍ରକ୍ରିୟା ଆରମ୍ଭ କରିପାରିନାହିଁ। ସେହିପରି ଆଦାନୀ ଗ୍ରୁପ ଯେଉଁ ସ୍ପେକ୍ଟ୍ରମ କିଣିଛି ସେଥିରେ ବ୍ୟବସାୟିକ ସଂସ୍ଥାକୁ ୫ଜି ସେବା ଯୋଗାଇ ଦେବ ବୋଲି ସୂଚନା ରହିଥିଲା। କିନ୍ତୁ ନିକଟ ଅତୀତର ଏକ ରିପୋର୍ଟ ଅନୁଯାୟୀ ଆଦାନୀ ଗ୍ରୁପ ମୋବାଇଲରେ ମଧ୍ୟ ଆଦାନୀ ୫ଜି ସେବା ଦେବାକୁ ଯୋଜନା କରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ଶେଷ ହୋଇଛି।
ତେବେ ୪ଜି ତୁଳନାରେ ୧୦ ଗୁଣା ସ୍ପୀଡରେ ଉପଲବ୍ଧ ହେବାକୁ ଥିବା ୫ଜି ସେବା ନେବାକୁ ଲୋକମାନେ ଅପେକ୍ଷା କରିଛନ୍ତି। ଏଥିପାଇଁ ଦେଶର ମୋବାଇଲ ବଜାରରେ ବଡ କିଣାବିକା ଚାଲିଛି। ନିକଟରେ କେନ୍ଦ୍ର ସରକାର ମୋବାଇଲ କମ୍ପାନୀ ମାନଙ୍କୁ ସଫ୍ଟଓ୍ୱାୟାର ଅପଡେଟ ଜରିଆରେ ୫ଜି ସେବା ଦେବାକୁ କହିଛନ୍ତି।
