ଦିନକ ପାଇଁ ଟିଏମ୍‌ସିର ୬ ରାଜ୍ୟସଭା ସାଂସଦ ନିଲମ୍ୱିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟିଏମସିର ୬ ରାଜ୍ୟସଭା ସାଂସଦଙ୍କୁ  ଦିନକ ପାଇଁ ନିଲମ୍ୱିତ  କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଆଜି ଗୋଟିଏ ଦିନ ପାଇଁ ୬ ଟିଏମ୍‌ସି ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ୬ ଜଣ ସାଂସଦ ହେଉଛନ୍ତି ଅର୍ପିତା ଘୋଷ, ଡୋଲା ସେନ୍, ମୌସୁମୀ ନୁର, ନଦିମୁଲ ହକ୍, ଅଧିରଞ୍ଜନ ବିଶ୍ୱାସ, ଶାସ୍ତା ଛେତ୍ରୀ । ପେଗାସସ୍ ମାମଲାରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ସଂସଦରେ ପୂ୍ର୍ବ ଭଳି ସ୍ଥିତି ଜାରି ରହିଥିଲା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ହଟ୍ଟଗୋଳ ପରେ ଉଭୟ ଗୃହକୁ ମୁଲତବି କରିଦିଆଯାଇଛି । ହୋ ହାଲ୍ଲା ଓ ନାରାବାଜି ଫଳରେ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ଉଭୟ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ବୁଧବାର ଦିନ ସକାଳେ କୃଷକ ପ୍ରସଙ୍ଗରେ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ଗ୍ରହଣ କରାଯାଇଥିଲା ଏବଂ ଅନ୍ୟାନ୍ୟ ବିଜ୍ଞପ୍ତି ଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ।ଏହାପରେ ଟିଏମସି ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ପେଗାସସ୍ ଗୁପ୍ତଚର ବିବାଦ ଉପରେ ଆଲୋଚନା କରିବା ଦାବିରେ ପୋଡିୟମ ସମ୍ମୁଖକୁ ଆସିଥିଲେ।

 ତେବେ ଅଧ୍ୟକ୍ଷ ଏହି ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନକୁ ଫେରିବାକୁ ନିବେଦନ କରିଥିଲେ। ଏହାପରେ ପୋଡିୟମ ସମ୍ମୁଖରେ ପ୍ଲାକାର୍ଡ ଦେଖାଉଥିବା ସଦସ୍ୟଙ୍କୁ ସଂସଦର ନିୟମ ୨୫୫ ଅନୁଯାୟୀ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା।   

 ପେଗାସସ୍ ଜାସୁସୀକାଣ୍ଡର ତଦନ୍ତ ଜିଦରେ ବିରୋଧୀ ଅଟଳ ଥିବା ବେଳେ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଯୋଗୁଁ ଆଲୋଚନା ହୋଇପାରୁ ନାହିଁ । ମୌସୁମୀ ଅଧିବେଶନର ପ୍ରଥମ ୨ ସପ୍ତାହରେ ମାତ୍ର ୧୮ ଘଣ୍ଟା ଚାଲିଥିବା ବେଳେ ତୃତୀୟ ସପ୍ତାହରେ ବି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରିନି । ପ୍ରତ୍ୟେକ ଦିନ ଗୃହକାର୍ଯ୍ୟ ଆରମ୍ଭରୁ ପେଗାସସ୍ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେନ୍ଦ୍ର ସରକାର ଗୃହରେ ଗୋଟିଏ ପରେ ଗୋଟିଏ ବିଲ୍ ପାସ୍ କରିଚାଲିଥିବା ବେଳେ ବିରୋଧୀଙ୍କୁ ଗୁରୁତ୍ୱ ଦେଉନାହାନ୍ତି । 

Related Posts