ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଗୋଆ ବିଜେପିରେ ଯୋଗ ଦେଇଥିବା ୮ଜଣ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ୮ ଜଣ ବିଧାୟକ । ଚଳିତ ସପ୍ତାହରେ ଗୋଆରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ୮ଜଣ କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିବେ ।

ରବିବାର ଦିନ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ବିଜେପି ରାଜ୍ୟ ୟୁନିଟ୍ ସଭାପତି ସଦାନନ୍ଦ ତନାବଡେଙ୍କ ନେତୃତ୍ୱରେ ବିଧାୟକମାନେ ସୋମବାର ସକାଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ।

ବିଜେପି ସୂତ୍ର ଅନୁଯାୟୀ, ଏହି ୮ଜଣ ବିଧାୟକଙ୍କ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ପରେ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦ଜଣ ବିଧାୟକ ଥିବାବେଳେ ୮ଜଣ ବିଧାୟକ ବିଜେପିରେ ଯୋଗ ଦେବାରୁ କଂଗ୍ରେସର ବିଧାୟକ ସଂଖ୍ୟାକୁ ୩କୁ ଖସି ଆସିଛି।

ସେ କହିଛନ୍ତି ଯେ, ଆଜି ରାତିରେ ୬ଜଣ ବିଧାୟକ ବିମାନ ଯୋଗେ ଦିଲ୍ଲୀ ଯିବେ। ଏହା ସହ ବିଧାୟକ ମାଇକେଲ ଲୋବୋ ଏବଂ ଦିଗମ୍ବର କାମତ ବର୍ତ୍ତମାନ ରାଜ୍ୟ ବାହାରେ ଥିବାରୁ ପରେ ଜାତୀୟ ରାଜଧାନୀରେ ପହଞ୍ଚିବେ। ଏହାପୂର୍ବରୁ ବୁଧବାର ଦିନ ବିଧାୟକ ଦିଗମ୍ବର କାମତ, ମାଇକେଲ ଲୋବୋ, ଡେଲିଲା ଲୋବୋ, ରାଜେଶ ଫଲଦେସାଇ, କେଦାର ନାଇକ, ସଂକଳ୍ପ ଅମୋନକର, ଏଲେକ୍ସିଓ ସିକେରା ଏବଂ ରୁଡୋଲଫ ଫର୍ଣ୍ଣାଣ୍ଡିଜ କଂଗ୍ରେସ ବିଧାନସଭା ପାର୍ଟି ବୈଠକରେ ଏକ ପ୍ରସ୍ତାବ ପାରିତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ।

Related Posts