ନୂଆଦିଲ୍ଲୀ: ଦେଶର କିଛି ରାଜନୈତିକ ଦଳଗୁଡିକ ଉପରେ ଅର୍ଥବ୍ୟବସ୍ଥାର କ୍ଷତି ଘଟାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିଯୋଗ ଆଣି କହିଛନ୍ତି ଦେଶକୁ ‘ସର୍ଟକଟ୍ ନୁହେଁ’, ବରଂ ସାମୂହିକ-ସ୍ଥାୟୀ ବିକାଶର ଆବଶ୍ୟକତା ରହିଛି। ଏହା ପୂର୍ବରୁ କରଦାତାଙ୍କ ଟଙ୍କା ଦୁର୍ନୀତି ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି କାରଣରୁ ବର୍ବାଦ ହୋଇ ଯାଉଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍ ଏବଂ ଲୋକାର୍ପଣ କରିଛନ୍ତି। ଏହାପରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଗତ ଆଠ ବର୍ଷରେ ଭାରତ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତ କରିଛି।

ମୋଦୀ ରବିବାର ନାଗପୁର-ମୁମ୍ବାଇ ‘ସମୃଦ୍ଧି ଏକ୍ସପ୍ରେସ୍ ଓ୍ଵେ’ର ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିଛନ୍ତି। ମୋଟ୍ ୫୨୦ କିଲୋମିଟର ଲମ୍ବା ଏହି ରାଜପଥ ନାଗପୁର ଏବଂ ଅହମ୍ମଦାବାଦର ଶିରଡି ଜିଲ୍ଲାକୁ ସଂଯୋଗ କରୁଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍, ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ରାଓସାହେବ ଦାନଭେ ଉପସ୍ଥିତ ଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ସର୍ଟକଟ୍ ରାଜନୀତିକୁ ନେଇ ଚେତାଇ ଦେଉଛି ବୋଲି କହିଛନ୍ତି। ଯେଉଁ ରାଜନୈତିକ ଦଳଗୁଡିକ ସର୍ଟକଟ୍‌ ବାଟ ଧରିଛନ୍ତି, ସେମାନେ ହିଁ ଦେଶର ବଡ ଶତ୍ରୁ। ସେମାନଙ୍କ ପ୍ରତି ସତର୍କ ରହିବା ଦରକାର। ଯେଉଁମାନେ ମିଥ୍ୟା କହି କ୍ଷମତା ପାଇବାକୁ ଚାହୁଁଛନ୍ତି ସେମାନେ କେବେ ବି ସରକାର ଗଢି ପାରିବେ ନାହିଁ।