୮ ଘଣ୍ଟା ପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ପାଇଁ ମଙ୍ଗଳବାର ଦ୍ବିପ୍ରହର ପ୍ରାୟ ୨.୨୫ ସମୟରେ ତାଙ୍କୁ ରତ୍ନଗିରି ପୁଲିସ୍‌ ଗିରଫ କରିଥିଲା। ହେଲେ ତାଙ୍କୁ ବିଳମ୍ବିତ ରାତ୍ରିରେ ଜାମିନ ମିଳି ଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।

ରାଇଗଡ଼ ପୁଲିସ୍‌ ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନକୁ ଆଣିଥିଲା। ସେଠାରେ ତାଙ୍କର ମେଡିକାଲ ଚେକ୍ ଅପ୍ ଶେଷ ହେବା ପରେ ତାଙ୍କୁ ରାତି ପ୍ରାୟ ୧୦ଟା ବେଳେ ମାହାଦରେ ଥିବା ବାବାସାହେବ ଶୈଖ ପାଟିଲର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଗରେ ହାଜର କରାଯାଇଥିଲା। ପ୍ରଥମେ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଶେଷରେ ରାଣେଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

ରାଣେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉଜ୍ଜଲ ନିକମ ଓ ଭାହୁ ସାଲୁଙ୍କେ ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ପୁଲିସ୍ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏପରି କି ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶ୍ରୀ ରାଣେଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିବା ପରେ ବିବାଦ ଜୋର୍ ଧରିଥିଲା। ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ଏଫଆଇଆର ରୁଜୁ ହୋଇଥିଲା। ଏମିତିକି ନାରାୟଣ ରାଣେଙ୍କ ମୁମ୍ବାଇ ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏସବୁ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଥିଲା।

୬୯ ବର୍ଷିୟ ରାଣେ ଉଦ୍ଧବ ଠାକରେଙ୍କ ପିତା ବାଲ ଠାକରେଙ୍କ ନେତୃତ୍ୱରେ ଶିବସେନାରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୦ ରେ ସେ ଶିବସେନା ବିଧାୟକ ଭାବରେ ମହାରାଷ୍ଟ୍ର ବିଧାନସଭାରେ ପ୍ରବେଶ କରିଥିଲେ। ୧୯୯୯ ରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ବହୁତ କମ୍ ଥିଲା। ସେହି ବର୍ଷ ଶେଷରେ ଶିବସେନା-ବିଜେପି ଗଠବନ୍ଧନ ରାଜ୍ୟ ନିର୍ବାଚନରେ ​​ହାରି ଯାଇଥିଲା।

Related Posts