
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଟେକ୍ସଟ୍ଟାଇଲ୍ ମିଲ୍ (ଓଟିଏମ୍)ର ପୁନରୁଦ୍ଧାର ପାଇଁ ବାକି ଥିବା ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାରଙ୍କୁ ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ୩୦ କୋଟି ଟଙ୍କା, ଏବଂ ଇଡକୋ ପକ୍ଷରୁ ଲିକୁଡେଟରଙ୍କ ପାଖରେ ୫ କୋଟି ଟଙ୍କା ଦାଖଲ କରି ସାରିଛନ୍ତି। ରାଜ୍ୟ ସରକାର ଆଗାମି ଅକ୍ଟୋବର ୧୫ ତାରିଖ ସୁଦ୍ଧା ବାକିଥିବା ୧୧୫ କୋଟି ଟଙ୍କା ଲିକୁଡେଟରଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଓଟିଏମ୍ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ କେତେ ଅର୍ଥ ରାଶି ଦେକାକୁ ଅଛି, ସେନେଇ ସବିଶେଷ ତଥ୍ୟ ଦେବାକୁ ଗତ ତାରିଖରେ ଲିକୁଡେଟରଙ୍କୁ ନିର୍ଦ୍ଦେଶ ହୋଇଥିଲା।
ସେହି ଆଧାରରେ ଅଫିସିଆଲ୍ ଲିକୁଡେଟର ଗୁରୁବାର ହାଇକୋର୍ଟରେ ଦାଖଲ କରିଥିବା ଅତିରିକ୍ତ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ଓଟିଏମ୍ ବାବଦରେ ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ କରିବାକୁ ହେବ। ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଏହି ଅର୍ଥରାଶି ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ଦାଖଲ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରାଯାଇ ସମସ୍ତ ଦେୟ ବାବଦୀୟ ହିସାବ ସରିଛି ବୋଲି ଲିକୁଡେଟର ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି ।