ଗୋଆ ରାଜନୀତି: ଭାଜପାରେ ଯୋଗ ଦେଇଥିବା ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଆଣିବ କଂଗ୍ରେସ

ପଣଜୀ : କଂଗ୍ରେସ୍ ସମଗ୍ର ଦେଶରେ ସଂକଟ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ, ନିକଟରେ ଗୋଆ କଂଗ୍ରେସ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିଥିଲେ ଓ ଭାଜପାରେ ଯୋଗ ଦେଇଥିଲେ।

ତେବେ କଂଗ୍ରେସ ଏବେ ଯାହାକୁ ନେଇ ସ୍ୱର୍ ଉଠାଇବା ସହ ଏହି ପ୍ରସଙ୍ଗରେ ଏକ ବଡ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି।

ମଙ୍ଗଳବାର କଂଗ୍ରେସର ଗୋଆ ୟୁନିଟ କହିଛି ଯେ ନିକଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଥିବା ଆଠ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାରେ ଆବେଦନ ଦାଖଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅମିତ ପାଟକର କହିଛନ୍ତି ଯେ ଅଯୋଗ୍ୟତା ଆବେଦନ ପାଇଁ ଦଳ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଆବଶ୍ୟକ କାଗଜପତ୍ର ଗ୍ରହଣ କରିଛି। ପାଟକର କହିଛନ୍ତି ଯେ ପୂର୍ବତନ ସୋଲିସିଟର ଜେନେରାଲ ତଥା ବର୍ତ୍ତମାନର କଂଗ୍ରେସ ବିଧାୟକ କାର୍ଲୋସ ଆଲଭାରେସ ଫେରେରା ଏହି ଆବେଦନ କରିବେ। ଏହା ଶୀଘ୍ର ଦାଖଲ ହେବ।

ସୂଚନାଯୋଗ୍ୟ, ସେପ୍ଟେମ୍ବରରେ କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗଦେବା ପରେ ଗୋଆ ବିଧାନସଭାରେ କଂଗ୍ରେସର ଶକ୍ତି ତିନିକୁ ଖସି ଆସିଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ବିଧାୟକମାନଙ୍କ ମଧ୍ୟରେ ଦିଗମ୍ବର କାମାଟ, ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫଲଦେସାଇ, କେଦାର ନାୟକ, ସଙ୍କଳ୍ପ ଅମୋନକର, ଆଲେକ୍ସୋ ସେକିରା ଏବଂ ରୁଡାଲ୍ଫ ଫର୍ଣ୍ଣାଣ୍ଡିସ ଅଛନ୍ତି। ଏହି ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ୨୦୧୯ ରେ ମଧ୍ୟ ଭାଜପା କଂଗ୍ରେସକୁ ସମାନ ଝଟକା ଦେଇଥିଲା। ଜୁଲାଇ ୨୦୧୯ ରେ, ୧୦ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇଥିଲେ।

Related Posts