ରାଜ୍ୟରେ ୯୬ ଶିକ୍ଷକଙ୍କ ପତ୍ତା ମିଳୁନି, ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର,୭/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇ ମଧ୍ୟ ଦୀର୍ଘ ଦିନ ହେଲା ସ୍କୁଲ ଆସୁନାହାନ୍ତି। ଏପରି ଶିକ୍ଷକଙ୍କୁ ନିଲମ୍ବନ କରୁଛି ଗଣଶିକ୍ଷା ବିଭାଗ । ଏପର୍ଯ୍ୟନ୍ତ ପ୍ରାୟ ୪୦ ଜଣ ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ କହିଛନ୍ତି ଯେ, ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘ ଦିନ ହେଲା ସ୍କୁଲରେ ଅନୁପସ୍ଥିତ ରହିଛନ୍ତି । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି। ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତି ହେତୁ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକ ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏହାବାଦ ବହୁ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେଣୁ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Related Posts