ଭୁବନେଶ୍ୱର, ୨୪/୦୬ (ସତ୍ୟପାଠ ବ୍ୟୁରୋ): ଏଣିକି ବିଦ୍ୟୁତ୍ ବିଲରେ ହେବ ପରିବର୍ତନ । ଦିନ ଏବଂ ରାତି ପାଇଁ ଅଲଗା ଅଲଗା ଦର ନିର୍ଦ୍ଧାରଣ କରାଯିବ । ଦିନ ଅପେକ୍ଷା ରାତିରେ ବିଦ୍ୟୁତ୍ ଶୁଳ୍କ ଅଧିକ ରହିବ । ସୂଚନା ଅନୁସାରେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ସରକାର ‘ଟାଇମ୍ ଅଫ୍ ଡେ’ (TOD) ନିୟମ ଲାଗୁ କରିବାକୁ ଯାଉଛନ୍ତି।
ଆଉ ଯଦି ଏହା ହୁଏ, ତେବେ ସାରା ଦେଶରେ ବିଦ୍ୟୁତ୍ ଉପଭୋକ୍ତାମାନେ ଦିନ ସମୟରେ ବିଦ୍ୟୁତ୍ ବ୍ୟବହାର କରି ବିଦ୍ୟୁତ୍ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ତେବେ ଯଦି ଆପଣ ରାତିରେ ଅଧିକ ବିଦ୍ୟୁତ ବ୍ୟବହାର କରୁଥାନ୍ତି ତେବେ ଅଧିକ ଦେୟ ଦେବାକୁ ପଡିବ | ତେବେ ପ୍ରଥମ ପର୍ଯ୍ୟାୟରେ ଏହା ସର୍ବାଧିକ ୧୦ କିଲୋୱାଟ୍ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ |
ଗୋଟିଏ ଦିନର ସବୁ ସମୟ ପାଇଁ ସମାନ ଦରରେ ବିଦ୍ୟୁତ ଶୁଳ୍କ ପୈଠ କରିବା ପରିବର୍ତ୍ତେ, ଦିନର ଭିନ୍ନ ଭିନ୍ନ ସମୟ ପାଇଁ ଭିନ୍ନ ଦରରେ ବିଦ୍ୟୁତ ଶୁଳ୍କ ପଇଠ କରିବା ଲାଗି ଆପଣଙ୍କୁ ସୁବିଧା ମିଳିପାରିବ । ଟିଓଡି ଟାରିଫ ବ୍ୟବସ୍ଥା ଅଧୀନରେ, ସୌର ଘଣ୍ଟା ବା ସୋଲାର୍ ଆୱାର୍ସ (ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଗୋଟିଏ ଦିନର ଆଠ ଘଣ୍ଟା ସମୟ)ରେ ବିଦ୍ୟୁତ ଶୁଳ୍କ ଦର ସ୍ୱାଭାବିକ ଶୁଳ୍କ ଦର ଠାରୁ ୧୦%-୨୦% କମ୍ ରହିବ। ଅନ୍ୟପଟେ ଅଧିକ ଚାହିଦା ଥିବା ସମୟ ବା ପିକ୍ ଆୱାର୍ସରେ ବିଦ୍ୟୁତ ଶୁଳ୍କ ଦର ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । ଅଧିକ ଚାହିଦା ଥିବା ସମୟ, ସୌର ଘଣ୍ଟା ଏବଂ ସ୍ୱାଭାବିକ ସମୟ ପାଇଁ ଅଲଗା ଅଲଗା ଶୁଳ୍କ ଦର ନିର୍ଦ୍ଧାରଣ କରିବା ଲାଗି ଟିଓଡି ଟାରିଫ୍ରେ ବ୍ୟବସ୍ଥା ରହିଛି, ଏହା ଉପଭୋକ୍ତାମାନଙ୍କୁ ଶୁଳ୍କଦର ଅନୁଯାୟୀ ବିଦ୍ୟୁତ ବ୍ୟବହାର କରିବା ଲାଗି ଦରଜନିତ ସତର୍କ ବାର୍ତ୍ତା ଦେବ । ସଚେତନତା ଏବଂ ଟିଓଡି ଶୁଳ୍କ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ବିଲ୍ ହ୍ରାସ କରିପାରିବେ ।
ସୂଚନାଯୋଗ୍ୟ ଯେ, ୨୦୨୪ ଏପ୍ରିଲ ୧ ଠାରୁ ସର୍ବାଧିକ ୧୦ କିଲୋୱାଟ୍ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଏବଂ ୧ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ । ସ୍ମାର୍ଟ ମିଟର୍ ଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର୍ ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍ ଅଫ୍ ଡେ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।





