ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟରେ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖି 5T ଇନଚାର୍ଜ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ମଧ୍ୟ ଦେଇଛନ୍ତି ବିଜୟ । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା ଜଣାଇଛନ୍ତି । ବିଭିନ୍ନ ସାଧାରଣ ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରୁଥିବା ମଧ୍ୟ ସେ ଚିଠିରେ ଲେଖିଛନ୍ତି । ଏହାସହିତ ଗସ୍ତ ସମୟର ଫୋଟୋକୁ ଏକାଧିକ ସୋସିଆଲ ମିଡ଼ିଆ ଗ୍ରୁପ ଜରିଆରେ ସେୟାର କରାଯାଉଛି | ସେ ବିଭିନ୍ନ ସ୍ଥାନ ଗସ୍ତ କରି ଜନ ସମାବେଶରେ ଉଦବୋଧନ ଦେଉଛନ୍ତି ଓ ଯୋଜନା ମଧ୍ୟ ଘୋଷଣା କରୁଛନ୍ତି ଏହାସହିତ କହୁଛନ୍ତି ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ନିର୍ଦେଶ ଦେଇଛନ୍ତି | ଏହା ସର୍ବଭାରତୀୟ ସେବା କଣ୍ଡକ୍ଟ ରୁଲ୍ର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି ବିଜୟ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ନେବା ନେଇ ଆଶା କ୍ଷୀଣ । ତେଣୁ ଏହି ଘଟଣା ନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କ ନିକଟରେ ଦାବି କରିଛନ୍ତି ବିଜୟ ।





