ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ | ସମ୍ପୃକ୍ତ ଅଧିକାରୀ ଜଣକ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସର ଉଲଂଘନ କରିଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟରେ ଅଭିଯୋଗ କରିଥିଲେ | ଏହି ଅଭିଯୋଗକୁ ଗ୍ରହଣ କରି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ନିଜେ ଅପରାଜିତା ଟ୍ୱିଟ କରି ସୂଚନା ଦେଇଛନ୍ତି |
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସଂକ୍ରାନ୍ତ ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରି କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି । ଆଇନ ଏ ଦିଗରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଛନ୍ତି ।
ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ(ଡିଓପିଟି) ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଲେଖିଥିବା ଏହି ଚିଠିରେ କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଗତ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ ଏକ ସିଡି ଓ ପେନଡ୍ରାଇଭରେ ତଥ୍ୟ ସମ୍ବଳିତ ଅଭିଯୋଗ ଦେଇଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଜୁନ୍ ୨୬ତାରିଖ(ଗତକାଲି) ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ।
ତେବେ ଅପରାଜିତା ଓ ମନମୋହନ ନିଜ ଅଭିଯୋଗର ଚିଠି ସାର୍ବଜନୀନ କରି ନଥିବାବେଳେ କିଏ ସହି ଓଡିଶା କ୍ୟାଡରର ଅଫିସର ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି | ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ମଧ୍ୟ ସେହି ଅଫିସରଙ୍କ ନାଁ ଉଲ୍ଲେଖ ନାହିଁ |





