ପତ୍ନୀ ହତ୍ୟା ଅଭିଯୋଗରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ପତ୍ନୀ ହତ୍ୟା ଅଭିଯୋଗରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଏଡିଜେ -୩ ଏମ ଏଲ ଏ ଏମପି କୋର୍ଟ।

ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ଆଦେଶ ସହ ୫୦ ହଜାର ଜରିମାନା ଏବଂ ଅନାଦେୟ ହେଲେ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହାଛଡ଼ା ଦଫା ୨୦୧ ପ୍ରମାଣ ନଷ୍ଟ ପାଇଁ ୧୦ ହଜାର ଟଙ୍କା ଜରିମାନା ଅନାଦେୟ କ୍ଷେତ୍ରରେ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ଦଣ୍ଡ ବିଧାନର ଶୁଣାଣି ହୋଇଥିଲା। ହତ୍ୟାକାଣ୍ଡର ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୂର୍ବରୁ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୫ରେ ରାମମୂର୍ତ୍ତିଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳ ନଗରର ଏମ୍‌ଏଲଏ କଲୋନୀରେ ଥିବା ଘରୁ ତାଙ୍କ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା। ସେତେବେଳେ ସେ ଗର୍ଭବତୀ ଥିଲେ। ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ।

୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ କହିଥିଲେ। ତେବେ ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜଣାପଡ଼ିଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏଥିରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ପ୍ରୟାସ କରିଥିଲେ। ଘଟଣା ଘଟିବାର ୨୮ ବର୍ଷ ପରେ କୋର୍ଟରେ ଏହା ପ୍ରମାଣିତ ମଧ୍ୟ ହୋଇଥିଲା। ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ମସିହାରେ ବିଜେପି ଟିକେଟରେ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Related Posts