ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ କଂଗ୍ରେସର ନୂଆ ରଣନୀତି, ଉପମୁଖ୍ୟମନ୍ତ୍ରୀ ହେଲେ ଟିଏସ୍‌ ସିଂହଦେଓ

ଭୁବନେଶ୍ୱର, ୨୯/୦୬ (ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ଏକ ପରିବର୍ତ୍ତନ ନଜର ଆସିଛି। ଟିଏସ୍‌ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ଟିଏସ୍‌ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ନିର୍ବାଚନ ପୂର୍ବରୁ ଏହାକୁ କଂଗ୍ରେସର ନୂଆ ରଣନୀତି କୁହାଯାଉଥିବା ବେଳେ ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ଛତିଶଗଡ଼ରେ ଏବେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି।

ଏହି ନିଯୁକ୍ତି ପରେ ଟିଏସ୍‌ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ଟ୍ୱିଟ କରି ‘ଆମେ ପ୍ରସ୍ତୁତ’, ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଥିବାରୁ ରାଜା ସାହେବଙ୍କୁ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରି ୨୦୧୮ରେ ଛତିଶଗଡ଼ରେ ସରକାର କରିଥିଲା କଂଗ୍ରେସ। ଯାହାପରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ନିମନ୍ତେ ଭୁପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଭିତରେ କନ୍ଦଳ ଦେଖାଦେଇଥିଲା। ଏହା ପରେ ବାଘେଲଙ୍କୁ ଅଢ଼େଇ ବର୍ଷ ନିମନ୍ତେ ସିଏମ୍‌ ଆସନ ଦେବାକୁ କଂଗ୍ରସ ସ୍ଥିର କରିଥିଲା। ଏହାପରେ ଟିଏସ୍‌ ସିଂହଦେଓ ଆଉ ଅଧାଦିନ କ୍ଷମତାରେ ବସିବାକୁ କଥା ହୋଇଥିଲା। ମାତ୍ର ଏହା ପରବର୍ତ୍ତୀ ସମୟରେ ହେଲାନି। ଏବେବି ଭୁପେଶ ସିଏମ୍‌ କ୍ଷମତାରେ ବସିଛନ୍ତି। ଗତ ଏପ୍ରିଲ୍‌ରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ ହୋଇପାରିବା ନେଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ସିଂହଦେଓ।

୨୦୨୩ ନଭେମ୍ୱରରେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳୀୟ ରାଜନୀତି ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୂତ ହୋଇଛି।

Related Posts