ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର,୩୦/୦୬ (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଏନେଇ ଶ୍ରୀ ବାଗ୍‌ଚୀ ଶୁକ୍ରବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଦୀର୍ଘ ୭ବର୍ଷ ଧରି ‘ଓଏସ୍‌ଡିଏ’ର ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିବା ପରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ବିଶ୍ବାସ, ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହଯୋଗ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ଶ୍ରୀ ବାଗ୍‌ଚୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହାପରେ ରାଜ୍ୟ ସରକାର ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଅଳକା ଅରୋରା ମିଶ୍ରଙ୍କୁ ଓଏସ୍‌ଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀମତୀ ମିଶ୍ର ଜଣେ ଅବସରପ୍ରାପ୍ତ ଆଇଆରପିଏସ୍‌ ଅଧିକାରୀ। ଅକ୍ଟୋବର,୨୦୨୨ରୁ ରାଜ୍ୟ ସରକାର ତାଙ୍କୁ ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀମତୀ ମିଶ୍ର ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ତଥା ରାଜ୍ୟ ସରକାରଙ୍କ ଏକାମ୍ର ଐତିହ୍ୟ ପ୍ରକଳ୍ପର ପରାମର୍ଶଦାତା ସନ୍ତୃପ୍ତ ମିଶ୍ରଙ୍କ ପତ୍ନୀ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୬ ମସିହାରେ ଶ୍ରୀ ବାଗ୍‌ଚୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ବାଗଚୀ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପାଉଥିଲେ। ହଠାତ୍ ଶ୍ରୀ ବାଗ୍‌ଚୀ ଇସ୍ତଫା ଦେଇଥିବାରୁ ସେ ଆଗାମୀ ଦିନରେ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲରେ ଅଧିକ ସମୟ ଦେବେ ନା ରାଜ୍ୟ ରାଜନୀତିରେ ପ୍ରବେଶ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Related Posts