ଧୋଇଗଲା ଅସ୍ଥାୟୀ ରାସ୍ତା, ଝୁଲାପୋଲ ବନ୍ଦ ଥିବାରୁ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ

ଭୁବନେଶ୍ୱର,୩୦/୦୬ (ସତ୍ୟପାଠ ବ୍ୟୁରୋ): ଧବଳେଶ୍ୱର ଅସ୍ଥାୟୀ ରାସ୍ତା ଧୋଇଯାଇଥିବାର ଖବର ମିଳିଛି। ମହାନଦୀରେ ପାଣି ଆସିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି। ରାସ୍ତା ଧୋଇ ଯିବାରୁ ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଛନ୍ତି। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ଆସି ବାବା ଧବଳେଶ୍ୱରଙ୍କର ଦର୍ଶନ କରୁଥିଲେ । ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ।

ସୂଚନାଯୋଗ୍ୟ, ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରକୁ ୭ ମାସରୁ ଅଧିକ ହେଲାଣି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଆଉ ସ୍ବାଭାବିକ ଗମନାଗମନ ବାଟ ବନ୍ଦ। କିନ୍ତୁ ଏ କ୍ଷେତ୍ରରେ ପ୍ରଶାସନିକ ଶିଥିଳତା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି। ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ। ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି। କିନ୍ତୁ ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାହାକୁ ନେଇ ଚିନ୍ତା ବଢୁଛି। ଝୁଲା ପୋଲ ମରାମତି ହେଉନି କି ପୀଠକୁ ସଂଯୋଗ କରିବା ପାଇଁ ନିର୍ମାଣ ଚାଲିଥିବା ପୋଲର କାମ ବି ସରୁନି। ଗଲା ମାର୍ଚ୍ଚ ମାସ ସୁଦ୍ଧା କଂକ୍ରିଟ ପୋଲ କାମ ସରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବାସ୍ତବରେ ଏବେ ବି ପୋଲ କାମ ସରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

Related Posts