ରିଅଲ ଲାଇଫ ହିରୋ ସିଦ୍ଧାନ୍ତ: ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ହସ୍ପିଟାଲ ନେଇ ବଞ୍ଚାଇଲେ ଜୀବନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେବଳ ସିନେମାରେ ନୁହେଁ, ସେ ରିଅଲ ଲାଇଫରେ ବି ହିରୋ । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ମେଡିକାଲ ନେଲେ । ଆଉ ସେଠାରେ ଚିକିତ୍ସା କରାଯିବାର ବ୍ୟବସ୍ଥା ମଧ୍ୟ କରାଇଲେ । ରବିବାର ଦିନ ଭୁବନେଶ୍ୱର ରାଜରାସ୍ତାରେ ଏମିତି କିଛି ସହଯୋଗ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ।

ଖବର ଅନୁଯାୟୀ, ରବିବାର ଦିନ ୨ଟା ସମୟରେ ପାହାଳ ପ୍ଲାଏ ଓଭର ନିକଟରେ ଏକ କାର୍‌ ବାଇକ୍‌ ସହ ଧକ୍କା ହୋଇଥିଲା । ଯେଉଁଥିରେ କାର ଟି ବାଇକ୍‌ ଆରୋହୀଙ୍କୁ କିଛି ବାଟ ଘୋଷାଡି ନେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇପଡିଥିଲେ ।

ଏହି ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେହି ବାଟ ଦେଇ ଫେରୁଥିଲେ ସିଦ୍ଧାନ୍ତ ମହାପାତ୍ର । ତୁରନ୍ତ ସେ ନିଜ ଗାଡିକୁ ଅଟକାଇ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଡ଼କାଇଥିଲେ ।ଏହାପରେ ପୋଲିସ କମିଶନରଙ୍କ ସହ ଯୋଗାଯୋଗ କରି ପିସିଆର ଭ୍ୟାନ୍‌ ଯୋଗେ ଆମ୍ବୁଲାନ୍ସ କୁ ରାସ୍ତା କଢାଇବାର ବ୍ୟବସ୍ଥା କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ବାଇକ ଆରୋହୀ ଜଣଙ୍କୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ଆହତଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ପାଖରେ ରହି ସବୁ ପରିସ୍ଥିତି ବୁଝିଥିଲେ।

ସିଦ୍ଧାନ୍ତଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଳରୁ ତାଙ୍କ ପାଖକୁ ଏବେ ପ୍ରଶଂସାର ସୁଅ ଛୁଟୁଛି। ସେପଟେ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କର ପ୍ରଶଂସା କରାଯିବା ସହ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ବୋଲି ଟୁଇଟ୍ କରିଛି ଏସଟିଏ।

ନିଜେ ଗୋଲଡେନ୍‌ ଆଓ୍ୱାରର ଜଣେ ବ୍ରାଣ୍ଡ ଆମ୍ବାସାଡର ଭାବେ ସିଦ୍ଧାନ୍ତ ସୃଷ୍ଟି କରିଥିବା ଉଦାହରଣ ବହୁ ଲୋକଙ୍କ ମନରେ ଏବେ ଉତ୍ସାହ ଭରିଦେଇଛି ।

Related Posts