କାଠମାଣ୍ଡୁ, (ସତ୍ୟପାଠବ୍ୟୁରୋ) : ନେପାଳର ଭୟଙ୍କର ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ସେତୁ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ଶିବିର ଭସାଇ ନେଇଛି। ଏବେବି ୧୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ବଡ଼ କଥା ହେଉଛି ପ୍ରାରମ୍ଭିକ ଏସଏମଏସ ସତର୍କତା ଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି। ନେପାଳର ମନାସଲୁ ଟ୍ରେକିଂ ଅଞ୍ଚଳରେ ରବିବାର ଆକସ୍ମିକ ବନ୍ୟା  ଆସିଥିଲା। କିନ୍ତୁ ସତର୍କ ସୂଚନା ପୂର୍ବରୁ ମିଳିଥିବାରୁ ଲୋକମାନେ ଉଚ୍ଚ ସ୍ଥାନକୁ ପଳାଇ ଯାଇଥିଲେ। କର୍ତ୍ତୃପକ୍ଷ ସକାଳ ୬ ଟା୨୦ ମିନିଟରେ ବନ୍ୟା ବିଷୟରେ ସୂଚନା ପାଇଥିଲେ। ୬ ଟା ୪୦ ମିନିଟରେ ପ୍ରଥମ ଏସଏମଏସ ସତର୍କତା ପଠାଇଥିଲେ। ଦୁଇ ରାଉଣ୍ଡରେ ପ୍ରାୟ ୨ ଲକ୍ଷ ଆଲର୍ଟ ପଠାଯାଇଥିଲା, ଯେଉଁଥିରେ ଲୋକଙ୍କୁ ନଦୀକୂଳ ଓ ବିପଦପୂର୍ଣ୍ଣ ବସ୍ତିରୁ ଦୂରେ ରହିବାକୁ ଅନୁରୋଧ କରାଯାଇଥିଲା । ନେପାଳ ଆର୍ମି ୪୯ ଜଣଙ୍କୁ ଉଦ୍ଧାର କରିଛି । କର୍ତ୍ତୃପକ୍ଷ ଏଭାକୁଏସନ୍ ଆଦେଶ ଦେଇଛନ୍ତି ଏବଂ ନିମ୍ନ ପ୍ରବାହ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି । ଏହି ବିପର୍ଯ୍ୟୟ ଭୋଟେ କୋଶି-ତ୍ରିଶୁଲି ନଦୀରେ ଘଟିଥିବା ଭୟଙ୍କର ବନ୍ୟାର ମାତ୍ର ୪୫ ଦିନ ପରେ ଘଟିଛି । ଯେଉଁଥିରେ ୧,୪୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୫,୨୫୦ ଜଣ ନିଖୋଜ ରହିଥିଲେ।