ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଆଉ ଏକ ଚିତାର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଏହି ଅଣ୍ଡିରା ଚିତାର ନାମ ‘ତେଜସ୍’ ଏବଂ ଏହାକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଏହାକୁ ମିଶାଇ ଗତ ପ୍ରାୟ ୩ ମାସରେ ଏଠାରେ ୭ ଚିତାଙ୍କର ମୃତ୍ୟୁ ଘଟିଲାଣି । ସେମାନଙ୍କ ମଧ୍ୟରେ ୩ ଶାବକ ଅଛନ୍ତି ।
ସୂଚନା ଅନୁସାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିତା ଉପରେ ନଜର ରଖୁଥିବା ମନିଟରିଂ ଟିମ୍ ତେଜସର ବେକରେ ଆଘାତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ ।ସେମାନେ ତୁରନ୍ତ ଫଲପୁର ମୁଖ୍ୟାଳୟରେ ଥିବା ବନ୍ୟପ୍ରାଣୀ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତରୀ ଟିମ୍ ପହଞ୍ଚି ଚିତାର ଆଘାତ ଗମ୍ଭୀର ଥିବା ଦେଖିବାକୁ ପାଇଥିଲେ । ନିଶା ଦିଆଯିବା ପରେ ତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଅପରାହ୍ନ ୨ଟା ବେଳକୁ ତାର ମୃତ୍ୟୁ ଘଟିଥିଲା । ଚିତା ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାରଣ ଜଣାପଡିବ । ଏଥିସହ ଚିତାର ବେକରେ ଆଘାତ ଚିହ୍ନ କିଭଳି ହେଲା ତାର ମଧ୍ୟ ଯାଞ୍ଚ କରାଯାଉଥିବା ପ୍ରଧାନ ବନ୍ୟ ସଂରକ୍ଷକ ଜେ.ଏସ୍ ଚୌହାନ କହିଛନ୍ତି ।
ତେବେ କିଡ୍ନୀ ରୋଗ ଯୋଗୁ ଗତ ମାର୍ଚ୍ଚ ୧୭ରେ ମାଈ ଚିତା ‘ସାସା’ର ମୃତ୍ୟୁ ଘଟିଥିଲା । ସେହିଭଳି ଏପ୍ରିଲ ୨୩ରେ ଅଣ୍ଡିରା ଚିତା ଉଦୟ ଏବଂ ମେ ୯ରେ ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା । ମେ ୨୫ରେ ପ୍ରବଳ ଗରମ ଯୋଗୁ ୨ଟି ଚିତା ଶାବକ ପ୍ରାଣ ହରାଇଥିଲେ । ଏହା ପରେ ପରେ ଅନ୍ୟ ଏକ ଶାବକ ପ୍ରାଣ ହରାଇଥିଲା । ଭାରତରେ ଚିତାବଂଶ ବୃଦ୍ଧି କରିବା ଲାଗି ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ୨୦ଟି ଚିତା ଅଣାଯାଇଥିଲା । ସେଥରୁ ୪ଟି ଚିତାଙ୍କର ମୃତ୍ୟୁ ହୋଇସାରିଛି । ଆଉ ୧୬ଟି ଚିତା ଅଛନ୍ତି । ସେହିଭଳି ଭାରତରେ ୪ଟି ଶାବକ ମଧ୍ୟ ଜନ୍ମ ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୩ଟି ଶାବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଗୋଟିଏ ମାତ୍ର ଶାବକ ଜୀବିତ ଅଛି । ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ନାମ୍ବିଆରୁ ୮ଟି ଚିତା (୫ ମାଇ ଓ ୩ ଅଣ୍ଡିରା) ଆସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ତାକୁ କୁନୋରେ ଛାଡ଼ିଥିଲେ । ଏହା ପରେ ଚଳିତବର୍ଷ ଫେବ୍ରୁଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା (୭ ଅଣ୍ଡିରା ଓ ୫ ମାଈ) ଅଣାଯାଇଥିଲା ।





