ବାହାନଗା ଟ୍ରେନ ଦୁର୍ଘଟଣା: ଆଉ ୧୦ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ତଦନ୍ତ ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଥିବାବେଳେ ଏବେ ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ସେମାନେ ହାଜର ହୋଇ ନିଜର ପକ୍ଷ ରଖିବେ । ଏହାବ୍ୟତୀତ ଆହୁରି କିଛି କର୍ମଚାରୀଙ୍କୁ ପଚରାଉଚରା କରି ଛାଡି ଦେଇଛି । ଅନ୍ୟପକ୍ଷେ ଗିରଫ ତିନି ଅଭିଯୁକ୍ତଙ୍କ ୨ୟ ପର୍ଯ୍ୟାୟ ରିମାଣ୍ଡ ଆଜି ସରିବ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅଭିଯୁକ୍ତ ସିଗନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକନିସିଆନ୍ ପପୁ କୁମାର ।

ଜୁଲାଇ ୧୧ ତାରିଖ ପ୍ରଥମ ରିମାଣ୍ଡ ସରିବା ପରେ ସେମାନଙ୍କୁ କୋର୍ଟରେ କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଆଜି ୨ୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୦ ତାରିଖରେ ବାହାନଗା ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମାମଲାରେ ସିବିଆଇ ଆଉ ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ନାମ ଉଲ୍ଲେଖ ନଥିବା ଏହି ଦୁଇ କର୍ମଚାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନାରେ ଡକାଇ ସିବିଆଇ ଅଧିକାରୀଙ୍କ ଏକ ଟିମ୍ ପଚରାଉଚରା କରିଥିଲେ । ଜେରା ପରେ ସେମାନଙ୍କୁ ଛାଡି ଦେଇଥିଲେ ।

ସୂଚନାଥାଉ କି, ୨୦୨୩ ମସିହା ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଏଯାବତ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିବିଆଇ ଏହାର ତଦନ୍ତ କରୁଛି। ଦକ୍ଷିଣ-ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (ସିଆରଏସ)ଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅତୀତରେ ଉତ୍ତର ସିଗନାଲରେ କରାଯାଇଥିବା ସିଗନାଲ୍ ସର୍କିଟ୍ ପରିବର୍ତ୍ତନରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି।ରେଲୱେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ସିବିଆଇ ତଦନ୍ତରେ ବେଶ ସହାୟକ ହେଉଥିବା ଜଣାପଡ଼ିଛି ।

Related Posts