ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା । ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛନ୍ତି ୩୯ ହଜାର କ୍ୟୁସେକ ଜଳ । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୭ ଫୁଟ ।ବର୍ତ୍ତମାନ ସୁଦ୍ଧା ହୀରାକୁଦର କୌଣସି ଗେଟ ଖୋଲି ନାହିଁ । କୌଣସି ଗେଟ ଖୋଲିବା ସମ୍ଭାବନା ନ ଥିବା ହୀରାକୁଦ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଧାନକୌଡାଠାରେ ୧୫୫ ମିମି ବର୍ଷା ରେକର୍ଡ ହୋଇଛି।
ରାଜ୍ୟର ୬ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତକାଲି ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଅଞ୍ଚଳରେ କେନ୍ଦ୍ରୀଭୁତ ହୋଇଛି। ଏହାସହିତ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷେ ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉତ୍ତର ଓଡିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଥିବା ଜଣାଯାଇଛି।





