ବିରୋଧୀ ବୈଠକରେ ଯୋଗ ନ ଦେଇ ଲଗାତାର ଦ୍ଵିତୀୟ ଦିନରେ ଅଜିତ ପାଓ୍ବାରଙ୍କୁ ଭେଟିଲେ ଶରଦ ପାଓ୍ବାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ବେଙ୍ଗାଳୁରୁରେ କଂଗ୍ରେସ ନେତୃତ୍ୱରେ ଆରମ୍ଭ ହୋଇଛି ବିରୋଧୀ ଦଳ ଗୁଡିକର ବୈଠକ | ମୋଦି ସରକାର ବିରୋଧରେ ଦ୍ଵିତୀୟ ଥର ପାଇଁ ବିରୋଧୀ ଦଳ ଗୁଡିକ ଏକାଠି ହୋଇଥିବାବେଳେ ଆଜି ଏହି ବୈଠକରେ ଶରଦ ପାୱାର ଯୋଗ ଦେଇନାହାନ୍ତି | ସବୁଠାରୁ ବଡ କଥା ହେଲା ଆଜି ପୁଣି ଶରଦ ପାୱାର ଦଳରେ ବିଦ୍ରୋହ କରିଥିବା ଅଜିତ ପାୱାରଙ୍କୁ ଭେଟିଛନ୍ତି | ଶରଦ ପାଓ୍ବାର ବିପକ୍ଷ ଏକତାର ଜଣେ ସବୁଠାରୁ ବଡ଼ ସୁତ୍ରଧର ହୋଇଥିଲେ ବି ସେ ବୈଠକରେ ଯୋଗ ନ ଦେବା ଓ ମୁମ୍ବାଇରେ ରହି ଅଜିତ ପାଓ୍ବାରଙ୍କୁ ସାକ୍ଷାତ କରିବା ପୁଣି ମହାରାଷ୍ଟ୍ର ସମେତ ସାରା ଦେଶର ରାଜନୀତିକୁ ସରଗରମ କରିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ଏନସିପି ବିଧାୟକମାନେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ମୁମ୍ବାଇର ୱାଇବି ଚୌହାନ ସେଣ୍ଟରରେ ଦଳର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି । ଶରଦ ପାୱାର ପୂର୍ବରୁ ୱାଇବି ଚୌହାନ ସେଣ୍ଟରରେ ଉପସ୍ଥିତ ଥିଲେ। ଶରଦ ପାୱାର ଗୋଷ୍ଠୀର ଜିତେନ୍ଦ୍ର ଆୱାଡ, ଜୟନ୍ତ ପାଟିଲ ଏବଂ ରୋହିତ ପାୱାର ମଧ୍ୟ ତାଙ୍କୁ ଭେଟିବା ପାଇଁ ୱାଇବି କେନ୍ଦ୍ରରେ ପହଞ୍ଚିଥିଲେ । ଏହି ସାକ୍ଷାତ ପରେ ଅଜିତ ପାଓ୍ବାର ଗୋଷ୍ଠୀର ଜଣେ ନେତା କହିଛନ୍ତି ଯେ, ଶରଦ ପାଓ୍ବାର ସେମାନଙ୍କ କଥା ଶୁଣିଲେ କିନ୍ତୁ କିଛି କହିଲେ ନାହିଁ ।

ତେବେ ଗତକାଲି ଅର୍ଥାତ ରବିବାର ଦିନ ମଧ୍ୟ ଅଜିତ ପାୱାର, ଛଗନ ଭୁଜବଳ, ଅଦିତି ତଟକରେ, ହାସନ ମୁଶରିଫ, ଧନଞ୍ଜୟ ମୁଣ୍ଡେ, ଦିଲ୍ଲୀପ ୱାଲସେ ପାଟିଲ, ସୁନୀଲ ତଟକରେ, ସଞ୍ଜୟ ବନସୋଡେ ଓ ପ୍ରଫୁଲ୍ଲ ପଟେଲ ଶରଦ ପାୱାରଙ୍କୁ ଭେଟିଥିଲେ। ତେବେ ଦଳରେ ବିଦ୍ରୋହ ପରେ ଲଗାତାର ଦୁଇଦିନରେ ଦୁଇ ଥର ଶରଦ ଓ ଅଜିତଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି । ତେବେ ବିରୋଧୀମାନଙ୍କର ବୈଠକ ଆସନ୍ତାକାଲି ମଧ୍ୟ ଅନୁଷ୍ଠିତ ହେବ | ଏହାସହିତ ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ମଧ୍ୟ ଦିଲ୍ଲୀରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ଶରଦ ପାୱାର ବିରୋଧୀ ବୈଠକରେ ଯୋଗଦେବେ ଓ ଅଜିତ ଏନଡିଏ ବୈଠକରେ ଯୋଗଦେବାନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ବି ଆସନ୍ତାକାଲି କିଏ କେଉଁ କ୍ୟାମ୍ପରେ ସାମିଲ ହେଉଛନ୍ତି ତାହାରି ଉପରେ ସମସ୍ତଙ୍କ ନଜର ରହିଛି |

Related Posts