ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୨୧ ଅର୍ଥାତ୍ ଶୁକ୍ରବାର ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗୁଜରାଟର ତଳ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ନେଇ ଯେଉଁ ରାୟ ଶୁଣାଇଛନ୍ତି ତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ । ନିକଟରେ ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଳବତ୍ତର ରଖିବା ପରେ ରାହୁଲ ନିରାଶ ହୋଇଥିଲେ ।
ଏହା ପରେ ସେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି । ରାହୁଲ ଓ କଂଗ୍ରେସ ଆଶା ରଖିଛନ୍ତି ଯେ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରେ । ଯଦି ସୁପ୍ରିମକୋର୍ଟ ଦୁଇ ବର୍ଷ ଦଣ୍ଡାଦେଶ ରାୟକୁ ଖାରଜ ନକରନ୍ତି ତାହେଲେ ରାହୁଲ ସାଂସଦ ସଭ୍ୟ ପଦ ଫେରିପାଇପାରିବେ ନାହିଁ |
ସୂଚନାଯୋଗ୍ୟ ଯେ, 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ଉପନାମ ବା ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଏକ ମାମଲା ଦାଖଲ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରିବା ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା ନ୍ୟାୟାଳୟ ରାୟ ଶୁଣାଇଥିଲେ । ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ ଜିଲ୍ଲା ନ୍ୟାୟାଳୟ । 4 ବର୍ଷ ପୁରୁଣା ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଜେଲ ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ରାହୁଙ୍କୁ ବେଲ୍ ମିଳିଥିଲା । ତେବେ ଏହି ଦଣ୍ଡାଦେଶ ଯୋଗୁଁ ତାଙ୍କ ସାସଂଦ ପଦ ରଦ୍ଦ ହୋଇଥିଲା ।





