ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ ଆଜି ନିୟମିତ ଜାମିନ୍ ମଳିଛି । ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ACMM) ହରପ୍ରିତ ସିଂ ଯଶପାଲ ପ୍ରସାଦ ଏହି ବେଲକୁ ମଞ୍ଜୁରୀ ଦେଇଛନ୍ତି ।
ତେବେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ବ୍ରିଜଭୂଷଣ ଓ ଅନ୍ୟତମ ଅଭିଯୁକ୍ତ ବିନୋଦ ତୋମାରଙ୍କୁ 2ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ପରବର୍ତ୍ତୀ ଶୁଣାଣି ଆଜି (ଗୁରୁବାର) ହେବା ନେଇ କୋର୍ଟ ଘୋଷଣା କରିଥିଲେ । ଆଜି ଉଭୟଙ୍କୁ ନିୟମିତ ବେଲ ମିଳିବା ପରେ ବ୍ରିଜଭୂଷଣଙ୍କ ଗିରଫଦାରୀ ଆଶଙ୍କା ମଧ୍ୟ ଟଳଛି ।
ଗତ ୨୮ ଏପ୍ରିଲରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣ ବିରୋଧରେ ମାମଲା ଦାଏର କରିଥିଲା । ଜୁନ ୧୫ ତାରିଖରେ ମାମଲାରେ ଦିଲ୍ଲୀ ପୋଲିସ ପ୍ରାୟ ୧ ହଜାର ପୃଷ୍ଠାର ବିଶାଳ ଚାର୍ଜସିଟ ଦାଖଲ କରିଥିଲେ ସୁଦ୍ଧା ପକ୍ସୋ ଆକ୍ଟକୁ ବାଦ ଦେଇଥିଲା । କାରଣ ଅଭିଯୋଗ ଆଣିଥିବା ଏକମାତ୍ର ନାବାଳିକା କୁସ୍ତି ଯୋଦ୍ଧା ତାଙ୍କ ବୟାନରେ ପରିବର୍ତ୍ତନ କରିବା ସହ ମୂଳ ଅଭିଯୋଗରେ ସଂଶୋଧନ କରିଥିଲେ । ଅନ୍ୟାନ୍ୟ ଦଫାରେ କୋର୍ଟ ଏହି ଚାର୍ଜସିଟକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ । ଏହି ମାମଲାରେ ବ୍ରିଜଭୂଷଣ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ । ମଙ୍ଗଳବାର ଉଭୟ ଅଭିଯୁକ୍ତଙ୍କୁ ୨ ଦିନିଆ ଅନ୍ତରୀଣ ଜାମି ପ୍ରଦାନ କରିବା ସହ ଆସନ୍ତା ଆଜି (ଗୁରୁବାର) ଏହି ଜାମିନ ଆବେଦନର ଶୁଣାଣି ହେବା ନେଇ କୋର୍ଟ ସମୟ ଧାର୍ଯ୍ୟ କରିଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ ନିୟମିତ ବେଲ ମିଳିଛି ।
ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ କୁସ୍ତି ମହାସଂଘ (WFI) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା ସେ କହିଥିଲେ । ବ୍ରିଜଭୂଷଣଙ୍କ ନାମରେ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଏକାଧିକ କୁସ୍ତିଯୋଦ୍ଧା । ସେମାନେ ଦଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । ଧାରଣାରତ କୁସ୍ତିଯୋଦ୍ଧାଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।
ପରେ ଏହି ମାମଲାର କୁସ୍ତିଯୋଦ୍ଧାଙ୍କ ଏକ ଟିମ୍ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ସଫଳ ହୋଇଥିଲା ଓ ଜୁନ ୧୫ ତାରିଖ ସୁଦ୍ଧା ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ ଦାଖଲ ହେବା ନେଇ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରଶମିତ ହୋଇଥିଲା । ଏହାରି ମଧ୍ଯରେ ନାଟକୀୟ ପରିବର୍ତ୍ତନ ଆଣିଥିଲା ଅଭିଯୋଗକାରୀଙ୍କ ମଧ୍ୟରେ ଥିବା ଏକମାତ୍ର ନାବାଳିକା କୁସ୍ତିଯୋଦ୍ଧାଙ୍କ ବୟାନ ପରିବର୍ତ୍ତନ । ଏହା ପରେ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ଆକ୍ଟକୁ ବାଦ ଦେଇ ପୋଲିସ ଜୁନ ୧୫ ତାରିଖରେ ୧ ହାଜର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।





