ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ କଂଗ୍ରେସରେ ନିଲମ୍ବନକୁ ନେଇ ଜାରି ରଖିଥିବା ବିବାଦ ମଧ୍ୟରେ ଆଜି ଚାରି ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୂର୍ବତନ ଆଇଏଏସ୍ ଅଫିସର ଓ ୨ ଜଣ ପୂର୍ବତନ ଓଏଏସ୍ ଅଫିସର।
କଂଗ୍ରେସରେ ସାମିଲ ହୋଇଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି- ପୂର୍ବତନ ଆଇଏଏସ୍ ଅଫିସର ପଞ୍ଚାନନ ଦାସ ଓ ବିଶ୍ଵନାଥ ଆଚାର୍ଯ୍ୟ ଏବଂ ପୂର୍ବତନ ଓଏଏସ୍ ଅଫିସର ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର।
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଥିଲେ।
ତେବେ ପୂର୍ବରୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିବା ବେଳେ ତାଙ୍କୁ ଏବେ ଦଳ ପ୍ରଚାର କମିଟିର ଅଧ୍ୟକ୍ଷ କରିଛି। ଏବେ ପୁଣି ଚାରି ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବାବେଳେ ଦଳ ତାଙ୍କୁ କେଉଁ ଦାୟିତ୍ବ ଦେଉଛି ତାହା ଦେଖିବାକୁ ବାକି ରହିଲା।





