କଂଗ୍ରେସରେ ଶରତଙ୍କ ନୂଆ ନୀତି: ନିଜ ଦଳର ନେତାଙ୍କୁ ଲାତ ଆଉ ବୁଢା ବାବୁଙ୍କୁ ହାତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ କଂଗ୍ରେସରେ ଏବେ ବିଚିତ୍ର ସ୍ଥିତି, ପ୍ରାୟ ବର୍ଷେ ତଳେ ଶରତ ପଟ୍ଟନାୟକ ଯେତେବେଳେ ପ୍ରଦେଶ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ଲାଗୁଥିଲା ଯେ, ନିରଞ୍ଜନ ପଟ୍ଟନାୟକଙ୍କ ସମୟରେ କଂଗ୍ରେସ ରାଜ୍ୟରେ ଯେଭଳି ନିମ୍ନମୁଖୀ ହୋଇଥିଲା ସେ ସ୍ଥିତିରୁ ଶରତ ବାବୁ ଦଳକୁ ଉଠାଇବାରେ ସହାୟକ ହେବେ | ସେତେବେଳେ କୁହାଗଲା ଯେ, ଶରତ ବାବୁ ଆସିବା ଦ୍ୱାରା କଂଗ୍ରେସରେ ସଂସ୍କାର ହେବ | ଦଳ ପ୍ରତି ଅଧିକରୁ ଅଧିକ ପ୍ରତିଭାବାନ ଯୁବକ, ମହିଳା ଓ ପ୍ରଫେସନାଲମାନେ ଆକୃଷ୍ଟ ହେବେ | କିନ୍ତୁ ବର୍ଷେ ପରେ ଏବେ ଠିକ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳୁଛି | ନା କଂଗ୍ରେସ ପ୍ରତି ଯୁବକମାନେ ଆକୃଷ୍ଟ ହେଉଛନ୍ତି ନା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଓ ରାଜନୀତି ପ୍ରତି ରୁଚି ରଖୁଥିବା ମହିଳାମାନେ କଂଗ୍ରେସକୁ ପସନ୍ଦ କରୁଛନ୍ତି | ଅନ୍ୟପକ୍ଷରେ ପ୍ରଫେସନାଲମାନେ ବିଜେଡି ଓ ବିଜେପି ପ୍ରତି ଆକୃଷ୍ଟ ହେଉଥିବା ବେଳେ କଂଗ୍ରେସ ଆଡକୁ ଚାହୁଁନାଁହାନ୍ତି |

ସବୁଠାରୁ ବଡ଼ ବିଡମ୍ବନାର କଥା ହେଲା କଂଗ୍ରେସ ରାଜନୀତିକ ନେତୃତ୍ୱ ପ୍ରତି ଯେତେ ରୁଚି ନରଖୁଛି ଅଣରାଜନୀତିକ ବ୍ୟକ୍ତିଙ୍କ ପ୍ରତି ତାଠୁ ଅଧିକ ରୁଚି ରଖୁଛି | ଯେଉଁମାନେ ପିଢ଼ି ପରେ ପିଢ଼ି କଂଗ୍ରେସ ପାଇଁ କାମ କରିଛନ୍ତି, ବର୍ଷ ବର୍ଷ ହେବ କଂଗ୍ରେସ ପରିବାର ସହ ଯୋଡିହୋଇ ରହିଛନ୍ତି, ଦଳରୁ ବିଧାୟକ ଓ ସାଂସଦ ହୋଇଛନ୍ତି ଶରତ ବାବୁଙ୍କ କଂଗ୍ରେସର ସେମାନେ ପସନ୍ଦ ନୁହନ୍ତି | ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ପ୍ରଫେସନାଲ ଭାବେ କଂଗ୍ରେସରେ ଯୋଗଦେଇଥିଲେ ଦଳ ସେମାନଙ୍କୁ ଆଡେଇ ଦେଲା|

ସାମ୍ବାଦିକତା କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିବା ପରେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗଦେଇଥିଲେ | ଆଉ କଂଗ୍ରେସ ମିଡ଼ିଆ ସେଲ ର ଅଧକ୍ଷ ଭାବେ ବହୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଇଥିଲେ | ହେଲେ ଶରତ ସଭାପତି ହେବାପରେ ସତ୍ୟଙ୍କୁ ସାଇଡ ମାରିଲେ | ପରିଣାମ ଏପରି ହେଲା ଯେ, ସତ୍ୟଙ୍କୁ ପିସିସି ସଦସ୍ୟ ମଧ୍ୟ କଲେ ନାହିଁ | ବାଧ୍ୟ ହୋଇ ସତ୍ୟ ନାୟକ କଂଗ୍ରେସ ଛାଡିଲେ | ଏହାକୁ ନେଇ ସେ ସମୟରେ ଗଣମାଧ୍ୟମ ଠୁ ନେଇ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ଏପରିକି ଦଳର ବହୁ ନେତା ସତ୍ୟଙ୍କ କଂଗ୍ରେସ ଛାଡିବା ନେଇ ଶରତଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ |

ଏବେ ନିକଟରେ କଟକ ବରବାଟିର ବିଧାୟକ ମହମ୍ମଦ ମୋକିମ ଓ ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଂକୁ ଯେଭଳି ଦଳରୁ ବିଦା କରାଗଲା ଏହାକୁ ନେଇ ଅନେକ କର୍ମୀଙ୍କ ମନରେ କ୍ଷୋଭ ରହିଛି | ଏହି ନିଷ୍ପତ୍ତିକୁ ନେଇ ଚାରିଆଡେ ଶରତଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି, କିନ୍ତୁ ଅନ୍ୟପଟେ ଶରତ ବହୁ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ କଂଗ୍ରେସରେ ମିଶାଇବାରେ ଲାଗିଛନ୍ତି | ପ୍ରଥମେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ଏବେ ଆଉ ଚାରିଜଣ ରିଟାୟାର୍ଡ଼ ଅଧିକାରୀ କଂଗ୍ରେସରେ ଯୋଗଦେଇଛନ୍ତି |

ଏହାକୁ ନେଇ ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତ ହେଲା ଯେ, ଗୋଟିଏ ପଟେ ବହୁ ନେତା କଂଗ୍ରେସ ଛାଡ଼ୁଛନ୍ତି ଆଉ ଅନ୍ୟପଟେ ଯୁବକ ହୁଅନ୍ତୁ କି ମହିଳା କେହି ଦଳ ପ୍ରତି ଆକୃଷ୍ଟ ହେଉ ନାହାନ୍ତି, ଏହାକୁ ନେଇ ଶରତଙ୍କ ଉପରେ ଚାପ ରହୁଛି | ଏପରିକି ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି | ଆଉ ଏହାର ଭରଣା କରିବା ପାଇଁ ଶରତ କିଛି ରିଟାୟାର୍ଡ଼ ଅଫିସରଙ୍କୁ ଦଳରେ ମିଶାଇ, ଦଳ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ନେଇ ସନ୍ଦେଶ ଦେବାକୁ ଚାହୁଁଛନ୍ତି | କିନ୍ତୁ ବାସ୍ତବରେ ଶରତ ନିଜ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଏଭଳି ମିଶ୍ରଣ କରାଉଛନ୍ତି ବୋଲି ମତ ପ୍ରକାଶ ପାଉଛି |

କିଛି କଂଗ୍ରେସ ନେତା ତ କହୁଛନ୍ତି ଯେ, ଶରତ ଯେଉଁ ରିଟାୟାର୍ଡ଼ ଅଫିସରଙ୍କୁ ଦଳରେ ମିଶାଉଛନ୍ତି ତାହା ମିଶ୍ରଣ ନୁହଁ ବରଂ ଅପମିଶ୍ରଣ | କାରଣ ଏହି ବାବୁମାନଙ୍କର କାର୍ଯ୍ୟକଳାପକୁ ଯଦି ଫାଇଲ ପଛରେ ଖୋଜାଯାଏ, ତେହେଲେ ଜଣାପଡିବ ଯେ, ଏମାନେ ସେଭଳି ନିଷ୍ଠାବାନ ଅଫିସର ନଥିଲେ | ଏମାନଙ୍କ ବିରୋଧରେ ମଧ୍ୟ ବହୁ ଅଭିଯୋଗ ରହିଛି | ଉଦାହରଣ ସ୍ୱରୂପ ବିଜୟ ପଟ୍ଟନାୟକ | ବିଜୟଙ୍କ ବିରୋଧରେ ରହିଛି ଗଣ୍ଡାଗଣ୍ଡା ଅଭିଯୋଗ | ନିକଟରେ ବେଦାନ୍ତକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଲେ ସେଥିରେ ସବୁଠାରୁ ବିବାଦୀୟ ଅଧିକାରୀ ଥିଲେ ବିଜୟ ପଟ୍ଟନାୟକ | ଆଉ ଏଇଥିପାଇଁ ବେଦାନ୍ତ ପ୍ରସଙ୍ଗରେ କଂଗ୍ରେସ ଏବେ ବ୍ୟାକଫୁଟରେ | ତେଣୁ ଏବେ କୁହାଯାଉଛି,ଶରତ ବାବୁଙ୍କର ଏହି ନୂଆ ପଲିଟିକାଲ ନ୍ୟରେଟିଭସ ଟି ହେଲା ଯେ ନିଜ ଦଳର ପୁରୁଣା ନେତାଙ୍କୁ ଲାତ ଆଉ ଏବେ ବୁଢା ବାବୁଙ୍କୁ ହାତ | ଅନେକଙ୍କ କହିବା କଥା ଯେ, ଶରତ ବାବୁଙ୍କ ଏଭଳି ନୀତି ଯଦି ଜାରି ରୁହେ ଆଉ ଏହିଭଳି ରିଟାୟାର୍ଡ଼ ବାବୁମାନେ ଦଳରେ ଆଗକୁ ବି ଯୋଗଦିଅନ୍ତି ତେବେ କଂଗ୍ରେସ ରାଜନୈତିକ ଦଳ କମ ବରଂ ଅବସରପ୍ରାପ୍ତ ଅଧିକାରୀଙ୍କ ବୃଦ୍ଧାଶ୍ରମରେ ପରିଣତ ହୋଇଯିବ |

Related Posts