ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି । ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଚୂଡ଼ାନ୍ତ ଶୁଣାଣି ନ ହେବା ଯାଏ ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି । ତେବେ ଏହି ମାମଲାରେ ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ସଜ୍ଜା ଶୁଣାଇଥିଲେ । ଆଉ ଜେଲ ଦଣ୍ଡାଦେଶ ପରେ ରାହୁଲ ନିଜର ସାଂସଦ ପଦ ହରାଇଥିଲେ | ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଥିଲେ ।
ଏବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ପୁଣି ରାହୁଲ ଗାନ୍ଧୀ ସଂସଦକୁ ଫେରିବେ | ଏହାସହିତ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ରାସ୍ତା ମଧ୍ୟ ଖୋଲିଛି | ଆଉ ଏହାକୁ ନେଇ ଏବେ କଂଗ୍ରେସ ମହଲରେ ଖୁସିର ଲହର ଦେଖାଦେଇଥିବା ବେଳେ ବହୁ ନେତା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି |
କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ସୂର୍ଯ୍ୟ ଚନ୍ଦ୍ର ଏବଂ ସତ୍ୟକୁ ବେଶୀ ସମୟ ପର୍ଯ୍ୟନ୍ତ ଲୁଚାଇ ରଖାଯାଇ ପାରିବ ନାହିଁ| ସେହସହିତ ଏହି ରାୟ ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି |
ସେହିପରି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଵାଲା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପୁଣି ଆଇନ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କର ବିଶ୍ୱାସକୁ ପୁନଃ ସ୍ଥାପନ କରିଛି |
ସେହିପରି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାହିଛନ୍ତି ଯେ, ଶେଷରେ ସତ୍ୟର ଜୟ ହୋଇଛି | ଲୋକତନ୍ତ୍ର ଓ ୱାଇନାଡ଼ ବାସୀଙ୍କ ବିଜୟ ହୋଇଛି | ଏବେ ପୁଣି ସଂସଦରେ ସାଧାରଣ ଲୋକଙ୍କ ସ୍ୱର ଶୁଣାଯିବ ବୋଲି ସେ କହିଛନ୍ତି |
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ‘ସମସ୍ତ ଚୋରଙ୍କ ନାଁ ମୋଦି କାହିଁକି’ ? ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୟାନ୍ ଦେଇଥିଲେ । । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାନହାନୀ ମାମଲା ରୁଜୁ କରିଥିଲେ । ଆଉ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ ସେସନ୍ସ କୋର୍ଟ | ଆଉ କୋର୍ଟ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ କରିବା ପରେ ସେ ତାଙ୍କର ସାଂସଦ ପଦ ହରାଇଥିଲେ | ଏବେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇବା ପରେ କଂଗ୍ରେସ ମହଲରେ ଉତ୍ସବର ମାହୋଲ ଦେଖାଦେଇଛି |





