ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କଲେ ଶ୍ରୀମନ୍ଦିର ପରିଚାଳନା କମିଟି

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ୨୦୨୪ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବ। ଏହା ପୂର୍ବରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶୁକ୍ରବାର ଏନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।

ଶ୍ରୀ ବର୍ମା କହିଛନ୍ତି ଯେ, ରତ୍ନଭଣ୍ଡାର ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ। ଏହାଛଡା ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ସଦସ୍ୟ ରହିବେ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି କମିଟି ଜରିଆରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମଗାଯିବ । ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିବ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ଉଠୁଥିଲା । ବିଭିନ୍ନ ସଙ୍ଗଠନ ସମେତ ଜଗନ୍ନାଥପ୍ରେମୀ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ। ରତ୍ନଭଣ୍ଡାର ଖୋଲିବା ନେଇ ମାମଲା ହାଇକୋର୍ଟ ମଧ୍ୟ ପହଞ୍ଚିଛି।

Related Posts