ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ୫୦୮ଟି ରେଳ ଷ୍ଟେସନର ବଦଳିବ ରୂପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲ ମାଧ୍ୟମରେ ସାରା ଦେଶରେ ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିଛନ୍ତି । ଏହାରି ମଧ୍ୟରେ ଓଡ଼ିଶାର ୨୫ଟି ଷ୍ଟେସନ ମଧ୍ୟ ରହିଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଏହିସବୁ ଷ୍ଟେସନର ରୂପାନ୍ତରଣ କରାଯିବ । ଏଥିପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ୨ ବର୍ଷ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ମୋଦି କହିଛନ୍ତି ଯେ, ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଛି । ଆଜିଠୁ ସାରା ଦେଶରେ ୫୦୮ଟି ଷ୍ଟେସନର ରୂପାନ୍ତରଣ ହେବ । ଏହାଦ୍ବାରା ଯାତ୍ରୀମାନେ ଅତ୍ୟାଧୁନିକ ସୁବିଧା ପାଇବେ ବୋଲି ମୋଦି କହିଛନ୍ତି ।
ତେବେ ଏହି ଅବସରରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମୋଦି | ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, କ୍ଵିଟ୍ ଇଣ୍ଡିଆ ବା ଭାରତ ଛାଡ଼ ଆନ୍ଦୋଳନ ଦ୍ୱାରା ଭାରତ ସ୍ୱାଧୀନତା ପାଇଥିଲା | ଆଉ ଏବେ ଏହି ଆନ୍ଦୋଳନରୁ ପ୍ରେରିତ ହୋଇ ଲୋକମାନେ ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣକୁ କ୍ଵିଟ୍ ଇଣ୍ଡିଆ ବା ଭାରତ ଛାଡିବାକୁ ସ୍ଲୋଗାନ ଦେଉଛନ୍ତି |
ମୋଦି ଆହୁରି କହିଛନ୍ତି ଯେ, ବିରୋଧୀ ସବୁବେଳେ ନକାରାତ୍ମକ ରାଜନୀତି କରନ୍ତି | ସେମାନେ ନା କିଛି ଭଲ କାମ କରନ୍ତି, ନା କରିବାକୁ ଦିଅନ୍ତି। ସେମାନଙ୍କ କାମ ହେଲା କେବଳ ବିରୋଧ କରିବା। ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନର ନିର୍ମାଣ ହେଲା, ହେଲେ ଏହାକୁ ସେମାନେ ବିରୋଧ କଲେ। କର୍ତ୍ତବ୍ୟ ପଥର ପୁନର୍ବିକାଶକୁ ବିରୋଧୀ ବିରୋଧ କରିଥିଲେ। ଏପରିକି ନିଜର 70 ବର୍ଷର ଶାସନ କାଳ ମଧ୍ୟରେ ଶହୀଦମାନଙ୍କ ପାଇଁ ଏକ ଯୁଦ୍ଧ ସ୍ମାରକ ମଧ୍ୟ ସେମାନେ କରିପାରିନଥିଲେ। ଭଲ କାମକୁ ବିରୋଧ କରିବା ବିରୋଧୀଙ୍କ ଏକ ଅଭ୍ୟାସ ବୋଲି ମୋଦି କହିଛନ୍ତି |





